ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିବାକୁ ଆଫଗାନ ଆତଙ୍କବାଦୀଙ୍କୁ ଗୁପ୍ତରେ ଅର୍ଥ ଦେଇଛି ରୁଷ୍: ଆମେରିକୀୟ ଗୁଇନ୍ଦା

ୱାସିଂଟନ୍: ଆମେରିକୀୟ ସୈନିକଙ୍କୁ ଆକ୍ରମଣ କରିବା ସହ ଆଫଗାନିସ୍ଥାନରେ ଥିବା ମିଳିତ ସେନାଙ୍କୁ ହତ୍ୟା କରିବାକୁ ରୁଷ୍ ସେନାର ଗୁଇନ୍ଦା ୟୁନିଟ୍ ଗୁପ୍ତରେ ତାଲିବାନ୍ ସହ ଯୋଗସୂତ୍ର ଥିବା ଆତଙ୍କବାଦୀଙ୍କୁ ଅର୍ଥ ପ୍ରଦାନ କରିଥିବା କଥା ଆମେରିକୀୟ ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଶାନ୍ତି ଆଲୋଚନା ଚାଲିଥିବା ମଧ୍ୟରେ ଆମେରିକା ଏ ଭଳି ମନ୍ତବ୍ୟ ଦେଇଛି।

ପାଶ୍ଚାତ୍ୟରେ ଅସ୍ଥିରତା ସୃଷ୍ଟି ପାଇଁ କିଂବା ପ୍ରତିଶୋଧ ନେବା ନିମନ୍ତେ ମିଳିତ ସେନା ଉପରେ ସଫଳ ଆକ୍ରମଣ ଲାଗି ଗତବର୍ଷ ରୁଷ୍‌ର ଗୁଇନ୍ଦା ୟୁନିଟ୍ ଗୋପନରେ ଆତଙ୍କବାଦୀଙ୍କୁ ଏହି ଅର୍ଥ ପୁରସ୍କାର ଦେଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା କହିଛି।

ସେମାନଙ୍କ ସହ ନିବିଡ଼ ସମ୍ବନ୍ଧ ଥିବା ଇସ୍‌ଲାମୀୟ ଆତଙ୍କବାଦୀ କିଂବା ସଶସ୍ତ୍ର ଅପରାଧୀକ ତତ୍ତ୍ବଙ୍କ କିଛି ଅର୍ଥ ସଂଗ୍ରହ କରିଥିବା ବିଶ୍ବାସ କରାଯାଉଛି ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି। ୨୦୧୯ ଆଫଗାନିସ୍ଥାନ ସଂଘର୍ଷରେ କୋଡ଼ିଏଜଣ ଆମେରିକୀୟ ନିହତ ହୋଇଥିଲେ। ଏହି ହତ୍ୟା କିମ୍ବା ଅନ୍ୟ କୌଣସି ହତ୍ୟା ତାହା ସେମାନେ ସ୍ପଷ୍ଟ କରି ନାହାନ୍ତି।

ଗୁଇନ୍ଦା ପାଇଥିବା ଏହି ସୂଚନା ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କୁ ଅବଗତ କରାଯାଇଥିଲା। ହ୍ବାଇଟ୍ ହାଉସ୍‌ର ନ୍ୟାସ୍‌ନାଲ୍ ସିକ୍ୟୁରିଟି କାଉନ୍‌ସିଲ୍ ବିଳମ୍ବିତ ମାର୍ଚରେ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିଥିଲା। ଏ ସଂକ୍ରାନ୍ତରେ ମସ୍କୋକୁ ଏକ କୂଟନୈତିକ ଅଭିଯୋଗ କରି ଏ ଭଳି କାର୍ଯ୍ୟକଳାପ ବନ୍ଦ କରିବାକୁ କୁହାଯାଉ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା। କିନ୍ତୁ, ହ୍ବାଇଟ୍‌ ହାଉସ୍ ଏ ଭଳି ପଦକ୍ଷେପ ନିମନ୍ତେ ଏ ପର୍ଯ୍ୟନ୍ତ ଅନୁମତି ଦେଇନାହିଁ ବ‌ୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର