ବାଧ୍ୟତାମୂଳକ ସୈନ୍ୟ ସେବକଙ୍କୁ ରୁଷ୍ ୟୁକ୍ରେନ୍‌ ଯୁଦ୍ଧକୁ ପଠାଇଥିବା ମାନିଲା

ମସ୍କୋ : ପ୍ରଥମଥର ପାଇଁ ମସ୍କୋ ସ୍ବୀକାର କରିଛି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ଏହା ଅନିବାର୍ଯ୍ୟ ସୈନ୍ୟ ସେବାରେ ନିୟୋଜିତ ବ୍ୟକ୍ତି (କନସ୍କ୍ରିପ୍ଟ)ମାନଙ୍କୁ ପଠାଇଛି। ସୂଚନାଯୋଗ୍ୟ ରୁଷିଆରେ ଗୋଟିଏ ନିୟମ ଅଛି, ୧୯ରୁ ୨୭ ବର୍ଷର ପ୍ରତ୍ୟେକ ନାଗରିକଙ୍କୁ ଏକ ବର୍ଷ ବାଧ୍ୟତାମୂଳକ ଭାବେ ସୈନ୍ୟବାହିନୀରେ ସେବା ଦେବାକୁ ହେବ। ଏହି ସମୟରେ ସେମାନେ ଆବଶ୍ୟକ ତାଲିମ ମଧ୍ୟ ପାଇଥାନ୍ତି।

ଆରମ୍ଭରୁ ରୁଷ୍ ମନା କରୁଥିଲା ଯେ, ଏହା ବାଧ୍ୟତାମୂଳକ ସୈନ୍ୟ ସେବକଙ୍କୁ ୟୁକ୍ରେନ୍ ପଠାଇ ନାହିଁ। ୟୁକ୍ରେନ୍ ଯାଇଛନ୍ତି ତାଲିମପ୍ରାପ୍ତ ନିପୁଣ ସୈନିକମାନେ। ତିନିଦିନ ତଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଦୋହରାଇଥିଲେ। କିନ୍ତୁ ଯେତେବେଳେ କିଛି ମାଆ ଅଭିଯୋଗ କଲେ ଯେ ବାଧ୍ୟତାମୂଳକ ସୈନ୍ୟ ସେବାରେ ଯୋଗ ଦେଇଥିବା ତାଙ୍କ ପୁଅଙ୍କ ସହ ସେମାନେ ଯୋଗାଯୋଗ କରିପାରୁ ନାହାନ୍ତି, ସେତେବେଳେ ରୁଷିଆର ମିଛ ଧରାପଡ଼ିଲା। କେତେଜଣ ‌ସୈନ୍ୟ ସେବକଙ୍କୁ ୟୁକ୍ରେନ୍ ଧରିନେଇ ଯୁଦ୍ଧବନ୍ଦୀ ଭାବେ ରଖିଛି। ତେବେ ପୁଟିନ କହିଛନ୍ତି ଯେ ସୈନ୍ୟ ସେବକଙ୍କୁ ଯୁଦ୍ଧରେ ନିୟୋଜିତ କରିବା ପାଇଁ ସେ ଆଦେଶ ଦେଇ ନ ଥିଲେ। ଯେଉଁ ଅଧିକାରୀମାନେ ତାଙ୍କ ବିନା ଆଦେଶରେ ସେମାନଙ୍କୁ ଯୁଦ୍ଧକୁ ପଠାଇଛନ୍ତି, ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ପୁଟିନ ଆଦେଶ ଦେଇଥିବା ଜଣାପଡ଼ିଛି। ରୁଷିଆର ୧୦ ଲକ୍ଷ ସୈନିକ ବିଶିଷ୍ଟ ସେନାରେ ପ୍ରାୟ ଏକ ଚତୁର୍ଥାଂଶ ବାଧ୍ୟତାମୂଳକ ସୈନ୍ୟ ସେବକ ବୋଲି ପାଶ୍ଚାତ୍ୟ ବିଶ୍ଳେଷକମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର