ମସ୍କୋ: ସୋମବାର ରାତିରେ କ୍ରିମିଆ ଉପରେ ଛଡ଼ାଯାଇଥିବା ୟୁକ୍ରେନର ୨୮ଟି ଡ୍ରୋନ୍‌କୁ ରୁଷ୍ ଗୁଳି କରି ଖସାଇଦେଇଥିବା ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏକ ବିବୃତିରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନର ୧୭ଟି ଡ୍ରୋନ୍‌କୁ ଧ୍ବଂସ କରିଦିଆଯାଇଛି ଏବଂ ବାକି ୧୧ଟି ଡ୍ରୋନ୍‌କୁ ବୈଦ୍ୟୁତିକ ଉପାୟରେ ଅଚଳ କରିଦିଆଯାଇଛି। ତେବେ ୟୁକ୍ରେନର ଏହି ଡ୍ରୋନ୍ ଆକ୍ରମଣ ଦ୍ବାରା କୌଣସି କ୍ଷୟକ୍ଷତି ବା ମୃତାହାତ ଘଟଣା ଘଟିନାହିଁ ବୋଲି ରୁଷ୍ ମନ୍ତ୍ରଣାଳୟ କହିଛି। କ୍ରିମିଆରେ ରୁଷ୍ ଦ୍ବାରା ଅବସ୍ଥାପିତ ଗଭର୍ଣ୍ଣର ସର୍ଗେଇ ଆକ୍ଷୋନୋଭ ମଙ୍ଗଳବାର ଟେଲିଗ୍ରାମରେ କହିଛନ୍ତି ଯେ ୨୮ଟି ଡ୍ରୋନ୍‌କୁ ରାତାରାତି ଧ୍ବଂସ କରିଦିଆଯାଇଛି ବା ଖସାଇ ଦିଆଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ୟୁକ୍ରେନର କ୍ରିମିଆ ଦଖଲ କରି ୨୦୧୪ରେ ରୁଷ୍ ‌ଏହାକୁ ନିଜ ଦେଶ ସହ ମିଶାଇ ଦେଇଥିଲା, ଯାହାକୁ ଅନ୍ତର୍ଜାତୀୟ ସମୁଦାୟ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହାନ୍ତି। ଏହାକୁ ୟୁକ୍ରେନ ପୁଣି ନିଜ ଦଖଲକୁ ନେବାକୁ ଚାହେ ବୋଲି କିବ୍ ବାରମ୍ବାର ଘୋଷଣା କରିଆସିଛି। ଏହି ପରିପ୍ରେକ୍ଷୀରେ କ୍ରମିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇଛି।