ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ପୁଟିନ୍ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଗଭୀର ସମବେଦନା ଜଣାଇବା ସହ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏହି ଆକ୍ରମଣର ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ସେ କହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଭୟ ନେତା ଭାରତ ଓ ରୁଷ୍ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦିବସର ୮୦ତମ ବାର୍ଷିକୀ ପାଳନ ଅବସରରେ ପୁଟିନଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ଭାରତରେ ହେବାକୁ ଥିବା ୨୩ତମ ବାର୍ଷିକ ଭାରତ-ରୁଷ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ। ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ପୁଟିନ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତ କରିବେ ବୋଲି କ୍ରେମଲିନ୍ ପକ୍ଷରୁ କୁହାଯାଇଛି।
ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମ୍ପର୍କରେ ଆଲୋଚନା ପାଇଁ ଜାତିସଂଘ ନିରାପତ୍ତା ପରିଷଦର ଏକ ରୁଦ୍ଧଦ୍ୱାର ବୈଠକ ପୂର୍ବରୁ ପୁଟିନଙ୍କ ଏହି ସମର୍ଥନ ମିଳିଛି। ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ପାଇଁ ପାକିସ୍ତାନ ୟୁଏନ୍ଏସ୍ସିକୁ ଆହ୍ୱାନ କରିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି। ଅପରପେକ୍ଷ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ପଦାରେ ପକାଇବା ପାଇଁ ସୋମବାର ଭାରତ ଏହି ସୁଯୋଗକୁ ବ୍ୟବହାର କରିବ ବୋଲି ସୂତ୍ରରୁ ପ୍ରକାଶ।
ପାକିସ୍ତାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଭାରତୀୟ ସେନାକୁ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ସହ ରୁଷିଆଠାରୁ ଇଗ୍ଲା-ଏସ୍ କ୍ଷେପଣାସ୍ତ୍ରର ସାମଗ୍ରୀ ମିଳିଛି, ଯାହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଏକ ବଡ଼ ପ୍ରୋତ୍ସାହନ ଦେଇଛି। ୨୦୦୯ ମସିହାରୁ ରୁଷ୍ ସହାୟତାରେ ଏହି ପ୍ରତିରକ୍ଷା ବ୍ୟବସ୍ଥା ସ୍ୱଦେଶୀ ଭାବେ ବିକଶିତ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆରବ ସାଗରରେ ଆକ୍ରମଣାତ୍ମକ ଅଭ୍ୟାସ କରିବା ସହ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ନିଜର କାର୍ଯ୍ୟକଳାପକୁ ତୀବ୍ର କରିଛି। ଏହା ଅବ୍ଦାଲି-୨ ଓ ଫତହ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ତେବେ ରୁଷ୍-ନିର୍ମିତ ଏସ୍-୪୦୦ ଓ ସ୍ୱଦେଶୀ ଇଣ୍ଟରସେପ୍ଟର ପ୍ଲାଟଫର୍ମ ଭାରତକୁ କ୍ଷୁଦ୍ର ଦୂରତା କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରଭାବଶାଳୀ ଭାବେ ନିଷ୍କ୍ରିୟ କରିବା ପାଇଁ ଯଥେଷ୍ଟ ପ୍ରତିରକ୍ଷା କ୍ଷମତା ପ୍ରଦାନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/06/TCbuvM9cP653WZESfiXj.jpg)