ନୂଆଦିଲ୍ଲୀ: ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବୋଲି କହି ଡେଙ୍ଗୁରା ପିଟୁଛନ୍ତି। ବିଶ୍ୱବ୍ୟାପୀ ଯୁଦ୍ଧ ବନ୍ଦ କରିବା ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରୁଥିବା ନେଇ ସେ ନିଜକୁ ଶ୍ରେୟ ଦେବା ସହିତ କେବଳ ସେ ହିଁ ଏହା କରିବାକୁ ସକ୍ଷମ ବୋଲି କହିଆସୁଛନ୍ତି। ତାଙ୍କ କହିବା ମୁତାବକ, ଆମେରିକୀୟ ଇତିହାସରେ ଅନେକ ରାଷ୍ଟ୍ରପତି ଏହି ସମ୍ମାନ ପାଇଛନ୍ତି, କିନ୍ତୁ ସେ ସବୁଠାରୁ ଯୋଗ୍ୟ। 

Advertisment

ଏମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପୂର୍ବରୁ ରୁଷ ଟ୍ରମ୍ପଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି। ରୁଷ୍ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ରୁଷର ସରକାରୀ ଏଜେନ୍ସି ଟିଏଏସଏସ ଅନୁଯାୟୀ କ୍ରେମଲିନର ଶୀର୍ଷ ପରାମର୍ଶଦାତା ୟୁରି ଉଶାକୋବ କହିଛନ୍ତି ଯେ, ମସ୍କୋ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରେ। ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କ ପଦକ୍ଷେପ ପ୍ରଶଂସନୀୟ ଏବଂ ଏହାକୁ ଶାନ୍ତି ପୁନଃସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବରେ ବିବେଚନା କରାଯାଇପାରିବ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପ୍ରତି ଆକର୍ଷିତ ହେବା କିଛି ନୂଆ କଥା ନୁହେଁ। ତାଙ୍କ ପ୍ରଥମ କାର୍ଯ୍ୟକାଳରେ, ଆବ୍ରାହାମ ଚୁକ୍ତି(ଯାହା ଇସ୍ରାଏଲ ଏବଂ ଅନେକ ଆରବ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା) ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ନେଇ ମନୋନୀତ କରାଯାଇଥିଲା। ହେଲେ ତାଙ୍କୁ ଏହି ପୁରସ୍କାର ମିଳିନଥିଲା।

ଏଥର ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳର ମାତ୍ର କିଛି ମାସ ମଧ୍ୟରେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମେତ ୭ରୁ ୮ଟି ଅନ୍ତର୍ଜାତୀୟ ବିବାଦର ସମାଧାନରେ ତାଙ୍କର ଅବଦାନ ରହିଛି, ଯାହା ତାଙ୍କ ମତରେ ପରମାଣୁ ଯୁଦ୍ଧରେ ପରିଣତ ହୋଇଥାନ୍ତା।

ନୋବେଲ କମିଟି ଭେଶଜ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା କରି ନୋବେଲ ପୁରସ୍କାର ପ୍ରଦାନ ଆରମ୍ଭ କରିସାରିଛନ୍ତି। ଆଗକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମ ଘୋଷଣା ହେବାର ଅଛି। ଏମଧ୍ୟରେ ଟ୍ରମ୍ପ ନିଜେ ଏହି ପୁରସ୍କାର ପାଇବା‌କୁ କେତେ ଯୋଗ୍ୟ, ତାହା ଜଣାଇବାରେ ଲାଗିପଡ଼ିଛନ୍ତି।

Russia | donald-trump | nobel-peace-prize