ରୁଷ୍ ଗ୍ରହଣ କଲା ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷତା, ୟୁକ୍ରେନ୍ କ୍ଷୁବ୍ଧ

କିବ୍: ୟୁକ୍ରେନ୍‌ର ବିରୋଧ ସତ୍ତ୍ବେ ଯୁଦ୍ଧ-ଅପରାଧ ଅଭିଯୁକ୍ତ ରୁଷ୍ ଶନିବାର ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଏହାକୁ ଅସଙ୍ଗତ, ଅନୁଚିତ ଓ ବିଧ୍ବଂସକାରୀ ବୋଲି କହିଛନ୍ତି। ଜେଲେନ୍‌ସ୍କି କହିଛନ୍ତି ଯେ, ଯେଉଁ ଦେଶର ନେତା ଯୁଦ୍ଧ-ଅପରାଧରେ ଅଭିଯୁକ୍ତ ଏବଂ ଯାହାଙ୍କ ବିରୋଧରେ ଅନ୍ତର୍ଜାତୀୟ ଗିରଫ ୱାରେଣ୍ଟ ରହିଛି, ଜାତିସଂଘ ସୁରକ୍ଷା ପରିଷଦ ଏବେ ତାଙ୍କରି ଅଧୀନରେ ପରିଚାଳିତ ହେବ।

ଜାତିସଂଘ ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟ ଗୋଟିଏ ମାସ ଲେଖାଏ ପାଳି କରି ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିଥାନ୍ତି। ଶେଷଥର ୨୦୨୨ ଫେବ୍ରୁଆରି ମାସରେ ରୁଷ୍ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଥିଲା, ଯେତେବେଳେ ସେ ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ କରିଥିଲା।
ଏକ ଦୈନିକ ଭିଡ଼ିଓ ଉଦ୍‌ବୋଧନରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଆମେ ଏକ ଦୁଃଖଦାୟକ ଖବର ପାଇଛୁ। ରୁଷ୍‌ର ଗୋଳାମାଡ଼ରେ ଶୁକ୍ରବାର ଜଣେ ୫ ମାସ ଶିଶୁର ମୃତ୍ୟୁ ଘଟିଛି। ଏଣେ ରୁଷ୍ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ବନିଯାଇଛି। ଏପରି ଅନୁଷ୍ଠାନ କେତେମାତ୍ରାରେ ଦେବାଳିଆ ହୋଇପଡ଼ିଛି, ଏଥିରୁ ଅନୁମିତ ହେଉଛି। ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ରୁଷ୍‌ର ଅଧ୍ୟକ୍ଷତା ଏକ ବୀଭତ୍ସ ଉପହାସ। ଅନ୍ତର୍ଜାତୀୟ ସୁରକ୍ଷା ଢାଞ୍ଚା ଭୁଲ୍ ଦିଗରେ ଗତି କରୁଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ି।

ସମ୍ବନ୍ଧିତ ଖବର