କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆଜିଠାରୁ ତୃତୀୟ ମାସରେ ପ୍ରବେଶ କରିଥିବା ବେଳେ ରୁଷ୍ ଏବେ ଆମେରିକା ଓ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଯୋଗାଇ ଦେଇଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ୍ କରୁଛି। ଓଡେଶାରେ ଏଭଳି ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରି ରୁଷ୍ ଗତରାତିରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଟାର୍ଗେଟ୍ ଧ୍ବସ୍ତ ହେବା ସହ ୮ ଜଣଙ୍କ ମୃତ୍ୟୁ ଘଟିଛି । ଆବାସିକ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ୩ ମାସର ଶିଶୁ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଆମେରିକା ଓ ବ୍ରିଟେନ୍ ଯୋଗାଇଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଓଡେଶା, ଇଲିସ୍ଭୋକା ଏବଂ କ୍ରାମାଟୋର୍ସ୍କରେ ରଖାଯାଇଥିବା ଖବର ମିଳିବା ପରେ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରି ରୁଷ୍ ଏସବୁକୁ ନଷ୍ଟ କରୁଛି ଏବଂ ରାତିକ ଭିତରେ ୧୧ଟି ସାମରିକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି। ବନ୍ଦର ସହର ମାରିୟୁପୋଲ୍କୁ ରୁଷ୍ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ବେଳେ ଆଜଭ୍ ଷ୍ଟିଲ୍ ପ୍ଲାଣ୍ଟରେ ଏବେ ବି ୟୁକ୍ରେନ୍ ସୈନିକ ଏବଂ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି। ରୁଷ୍ ସୈନିକ ସମଗ୍ର ପ୍ଲାଣ୍ଟ୍କୁ ଘେରି ରହିଛନ୍ତି ଏବଂ ଏହାର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ନିୟମିତ ବ୍ୟବଧାନରେ ଗୋଳା ବର୍ଷା କରୁଛନ୍ତି। ୟୁକ୍ରେନ୍କୁ ଅଧିକ ସହାୟତା ଯୋଗାଇଦେବା ଏବଂ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍ ଖୁବ୍ଶୀଘ୍ର କିବ୍ ଗସ୍ତରେ ଆସୁଛନ୍ତି। ଜେଲେନସ୍କି କହିଛନ୍ତି, ଯଦି ମାରିୟୁପୋଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ଥିବା ସୈନିକ ନିହତ ହେବେ ତା’ହେଲେ ରୁଷ୍ ସହ କଥାବାର୍ତ୍ତା ପ୍ରକ୍ରିୟାରୁ ୟୁକ୍ରେନ୍ ସଂପୂର୍ଣ୍ଣ ଓହରିଯିବ।