ମସ୍କୋ: ରୁଷ୍ ୟୁକ୍ରେନ୍ର ରେଳ ଭିତ୍ତିଭୂମିକୁ ଲଗାତାର ଭାବେ ଧ୍ବଂସ କରିବାରେ ଲାଗିଛି। ଷ୍ଟେସନ୍ ଏବଂ ରେଳ ଭିତ୍ତିଭୂମି ଏବେ ରୁଷ୍ର ମୁଖ୍ୟ ଟାର୍ଗେଟ୍। ସୋମବାର ସକାଳେ ରୁଷ୍ କେନ୍ଦ୍ରୀୟ ଏବଂ ପଶ୍ଚିମ ୟୁକ୍ରେନ୍ର ପ୍ରାୟ ୫ଟି ରେଳ ଷ୍ଟେସନ୍ରେ ଘଣ୍ଟାଏ ମଧ୍ୟରେ କ୍ଷେପଣାସ୍ତ୍ର ମାଡ଼ କରି ଛାରଖାର କରିଦେଇଛି। ଲଭିଭ୍ ନିକଟସ୍ଥ କ୍ରାସ୍ନେ ସହରର ଏକ ରେଳ ଷ୍ଟେସନ ଏବଂ ରିଭ୍ନେ ଅଞ୍ଚଳର ୨ଟି ରେଳ ଷ୍ଟେସନ୍କୁ ରୁଷ୍ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାବାଦ ଅନ୍ୟ ୨ଟି ରେଳ ଷ୍ଟେସନ୍ ଉପରେ ମଧ୍ୟ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ରେଳ ଷ୍ଟେସନ୍ ଆକ୍ରମଣ ଘଟଣାରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ପୂର୍ବ ୟୁକ୍ରେନର କ୍ରାମାଟର୍ସ୍କ ରେଳ ଷ୍ଟେସନ୍ରେ ରୁଷ୍ର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷେ ପୂର୍ବ ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳରେ ରୁଷ୍ ଜୋରଦାର ଗୋଳାବର୍ଷା କରିଛି। ରୁଷ୍ର ଗୋଳାବର୍ଷା ଯୋଗୁଁ ଲୁହାନସ୍କରେ ବିଦ୍ୟୁତ ଏବଂ ଜଳ ଯୋଗାଣ ବିଚ୍ଛିନ୍ନ ହୋଇଛି। ଲୁହାନସ୍କରେ ୭,୫୦୦ରୁ ଅଧିକ ସ୍ଥାନରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଛି। ସମଗ୍ର ଲୁହାନସ୍କ ଅଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯାଇଛି। ୧୦ ଦିନରେ ୧୦ଟି ପ୍ରତିଷ୍ଠାନରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଏହାଦ୍ବାରା ୩୦ ହଜାର ଘରେ ଏବେ ବିଦ୍ୟୁତ୍ ସଂଯୋଗ ନାହିଁ। ଗତ କିଛି ଦିନ ମଧ୍ୟରେ ୭,୫୦୦ ଆପାର୍ଟମେଣ୍ଟ୍ ଏବଂ ଘରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଡୋନେସ୍କ ଏବଂ ଖାରକିଭରେ ରୁଷ୍ ଅନବରତ ଗୋଳାବର୍ଷା କରୁଛି। ଡୋନେସ୍କରେ ରୁଷ୍ର ଗୋଳାବର୍ଷା ଯୋଗୁଁ ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖାରକିଭରେ ଲଗାତାର ଗୋଳାବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ୍ ସୀମା ନିକଟସ୍ଥ ରୁଷ୍ର ଗୋଟିଏ ତୈଳ ଡିପୋରେ ନିଆଁ ଲାଗିଯାଇଛି।