ମସ୍କୋ : ଋଷିଆ ପକ୍ଷରୁ ଅତ୍ୟାଧୁନିକ ହାଇପରସୋନିକ ମିସାଇଲ ଜିରକନ (ସିରକନ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରାୟ ୧୦ଟି ହାଇପରସୋନିକ ମିସାଇଲକୁ ଫ୍ରିଗେଟ୍ (ଯୁଦ୍ଧ ଜାହାଜ)ରୁ ଓ ଆଉ ୨ଟି ମିସାଇଲ ବୁଡ଼ାଜାହଜରୁ ପରୀକ୍ଷଣ କରାଯାଇଛି । ସେଗୁଡ଼ିକ ନିର୍ଭୁଲଭାବେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା ବୋଲି ଋଷୀୟ ନ୍ୟୁଜ ଏଜେନ୍ସି ଇଣ୍ଟରଫାକ୍ସ କହିଛି ।
ଗତ ସପ୍ତାହରେ କରାଯାଇଥିବା ଏସବୁ ମିସାଇଲର ପରୀକ୍ଷଣ ସଂପର୍କରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷିଆ ପାଇଁ ଏସବୁ ମିସାଇଲ ବେଶ ଗୁରୁତ୍ବପୂର୍ଣ୍ଣ । ଏଗୁଡ଼ିକ ଋଷିଆର ପ୍ରତିରକ୍ଷା କ୍ଷମତାକୁ ଦୃଢ କରିବ ।
ହାଇପରସେନିକ ମିସାଇଲ ଗୁଡ଼ିକୁ ପୁଟିନ ଅଦୃଶ୍ୟ ଅସ୍ତ୍ର ବୋଲି କହୁଛନ୍ତି । ଗତ ନଭେମ୍ବର ମାସରେ ବି ଋଷିଆ ଜିରକନର ସଫଳ ପରୀକ୍ଷଣ କରିଥିଲା ।
ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦର ବେଗର ପାଞ୍ଚଗୁଣ ବେଗରେ ଗତି କରିପାରିବ । ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକୁ ମଧ୍ୟ ଭେଦ କରିବାକୁ ସକ୍ଷମ ବୋଲି କୁହାଯାଉଛି । ଗତ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି । ଇତି ମଧ୍ୟରେ ଆମେରିକା ମଧ୍ୟ ନିଜର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିସାରିଛି ।