ମସ୍କୋ:  ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ ଏହାର ନୂତନ ପରମାଣୁଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର ‘ବୁରେଭେଷ୍ଟ୍‌ନିକ୍’ର ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି। ରୁଷ୍‌ର ଜଣେ ଉଚ୍ଚସ୍ତରୀୟ ସାମରିକ ଅଧିକାରୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ସଫଳତା ବିଷୟରେ ସୂଚନା ଦେଇଛନ୍ତି। ପରମାଣୁ ଶକ୍ତି ଉପରେ ନିର୍ଭରଶୀଳ ହେତୁ ଏହି କ୍ଷେପଣାସ୍ତ୍ର ଅସୀମିତ ଦୂରତା ଅତିକ୍ରମ କରିପାରିବ ଏବଂ ଏଥିରେ ପରମାଣୁ ଯୁଦ୍ଧାସ୍ତ୍ର ସଂଯୋଗ କରିବାର ସୁବିଧା ମଧ୍ୟ ରହିଛି । ରୁଷ୍ ସାମରିକ ନିର୍ଦ୍ଦେଶାଳୟର ମୁଖ୍ୟ ଜେନେରାଲ୍ ଭାଲେରୀ ଗେରାସିମୋଭ୍‌ କହିଛନ୍ତି, କ୍ଷେପଣାସ୍ତ୍ରଟି ୧୪,୦୦୦ କିଲୋମିଟର (ପ୍ରାୟ ୮,୭୦୦ ମାଇଲ) ଯାତ୍ରା କରିଥିଲା ଏବଂ ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ବାୟୁସୀମାରେ ସକ୍ରିୟ ରହିଥିଲା। ରୁଷ୍‌  ରାଷ୍ଟ୍ରପତି ପୁଟିନଙ୍କ ଅନୁଯାୟୀ, ୯ଏମ୍ ୭୩୦ ବୁରେଭେଷ୍ଟ୍‌ନିକ୍ (ଷ୍ଟର୍ମ ବାର୍ଡ)କୁ ବର୍ତ୍ତମାନ କିମ୍ବା ଭବିଷ୍ୟତର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇପାରିବ ନାହିଁ। ଏହା ‘ଅପରାଜେୟ’  ଏବଂ ଏହାର ରେଞ୍ଜ ଅସୀମ ବୋଲି ପୁଟିନ କହିଛନ୍ତି।

Advertisment

ବୁରେଭେଷ୍ଟ୍‌ନିକ୍ କ’ଣ?

ବୁରେଭେଷ୍ଟ୍‌ନିକ୍ ହେଉଛି ଏକ ପରମାଣୁ ଶକ୍ତି ପରିଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହା ପାରମ୍ପରିକ କ୍ଷେପଣାସ୍ତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ବିଶେଷତ୍ୱ ହେଉଛି ଏକ ଛୋଟ ଆଣବିକ ରିଆକ୍ଟର, ଯାହା ଏହାକୁ ଅସୀମିତ ଦୂରତା ଯାତ୍ରା କରିବାର କ୍ଷମତା ଦେଇଥାଏ। ସାଧାରଣ କ୍ଷେପଣାସ୍ତ୍ର ଇନ୍ଧନ ସରିଗଲେ ବନ୍ଦ ହୋଇଯାଏ, କିନ୍ତୁ ଏହା ଆଣବିକ ଶକ୍ତି ଦ୍ୱାରା ଚାଳିତ ହେଉଥିବାରୁ ଏହାକୁ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଉଡ଼ିବାକୁ ଅନୁମତି ଦେଇଥାଏ ।   ଏହା ମାତ୍ର  ୧୦୦ ମିଟର ଉଚ୍ଚତାରେ ଉଡ଼ିଥାଏ, ଯେଉଁଥିପାଇଁ ରାଡାର ଏହାକୁ ସହଜରେ ଟ୍ରାକ୍ କରିପାରିବ ନାହିଁ।