ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଋଷିଆ ! ହାଇପରସୋନିକ୍ ମିସାଇଲର ଶକ୍ତି ପରଖିଲେ ପୁଟିନ୍

ମସ୍କୋ  : ୟୁକ୍ରେନକୁ ନେଇ ଯୁଦ୍ଧ ଆଶଙ୍କା ମଧ୍ୟରେ ଋଷିଆ ଆରମ୍ଭ କରିଛି ଏକ ବଡ଼ ଧରଣରର ଆଣବିକ ଯୁଦ୍ଧାଭ୍ୟାସ । ଏହି ଯୁଦ୍ଧାଭ୍ୟାସରେ ଋଷିଆ ସାମରିକ ବାହିନୀ ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ତଥା ଆଣବିକ କ୍ଷମତା ସଂପନ୍ନ ବାଲିଷ୍ଟିକ ଓ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି ।

ତେବେ ଏହି ଯୁଦ୍ଧାଭ୍ୟାସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଋଷିଆର ଅତ୍ୟାଧୁନିକ ହାଇପରସୋନିକ୍ ମିସାଇଲ ଜିରକନ । ସମୁଦ୍ରରେ ଥିବା ଯୁଦ୍ଧ ଜାହାଜ ଓ ବୁଡ଼ା ଜାହାଜରୁ ଏହି ମିସାଇଲକୁ ଛଡ଼ାଯାଇଥିଲା । ସେହିପରି ମିଗ୍-୩୧ ବିମାନରୁ କିଞ୍ଜାଲ କ୍ରୁଜ ମିସାଇଲକୁ ଛଡ଼ାଯାଇଥିଲା ଯାହାକି ଏକ ଟାର୍ଗେଟକୁ ଧ୍ବଂସ କରିଦେଇଥିଲା । ଅନ୍ୟପକ୍ଷରେ ୟାର୍ସ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲର ଉତକ୍ଷେପଣ କରାଯାଇଥିଲା, ଯାହାକୁ ୫୮୦୦ କିଲୋମିଟର ଦୂରରେ ଥିବା ନିଜର ଲକ୍ଷ୍ୟକୁ ଭେଦ କରିଥିଲା । ଏହାଛଡ଼ା ଇସକନ୍ଦର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ, ଟିୟୁ-୯୫ଏମଏସ ଷ୍ଟାର୍ଟବମ୍ବରର ମଧ୍ୟ ପରୀକ୍ଷଣ କରାଯାଇଥିଲା । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏସବୁ ମିସାଇଲର ପରୀକ୍ଷଣ ନିରୀକ୍ଷଣ କରିଥିଲେ ।

ୟୁକ୍ରେନ ସଂକଟକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ଋଷିଆର ଏହି ବୃହତ୍ ସମରାଭ୍ୟାସ ଚିନ୍ତା ବଢାଇଦେଇଛି । ବିଶ୍ବ ପୁଣି ଏକ ବଡ଼ ଯୁଦ୍ଧ ଆଡ଼କୁ ଗତିକରୁଥିବା ଆଶଙ୍କା ବଢିଯାଇଛି । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଯୁଦ୍ଧ ହେଲେ ୟୁକ୍ରେନ ଲୋକଙ୍କ ପଛରେ ଆମେରିକା ଓ ତାହାର ମିତ୍ରଦେଶମାନେ ରହିବେ ଓ ଋଷିଆକୁ ଏହାର କଠୋର ପରିଣାମ ଭୋଗିବାକୁ ହେବ ।

ସମ୍ବନ୍ଧିତ ଖବର