ରୁଷର କେଉଁ କ୍ଷେପଣାସ୍ତ୍ରକୁ ‘ସୈତାନ-୨’ ବୋଲି ଡାକୁଛନ୍ତି ପାଶ୍ଚାତ୍ୟ ଦେଶ ?

ମସ୍କୋ : ବୁଧବାରଦିନ ରୁଷ ପକ୍ଷରୁ ସରମତ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ କରାଯାଇଛି । ଆଣବିକ କ୍ଷମତା ସଂପନ୍ନ ଏହି ମିସାଇଲ ବିଶ୍ବର ଯେକୌଣସି ସ୍ଥାନରେ ଥିବା ଟାର୍ଗେଟକୁ ଧ୍ବଂସ କରିପାରିବ । ଏହି ମିସାଇଲର ବିଧ୍ବଂସକାରୀ କ୍ଷମତାକୁ ଦେଖି ଏହାକୁ ପାଶ୍ଚାତ୍ୟ ଦେଶମାନେ ସୈତାନ-୨ ବୋଲି ନାମ ଦେଇଛନ୍ତି ।

ଏହି ପରୀକ୍ଷଣ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଶତ୍ରୁମାନେ ରୁଷ ଉପରେ ଆକ୍ରମଣ କରିବାପୂର୍ବରୁ ଦୁଇଥର ଭାବିବେ ।

ଏହି ମିସାଇଲ ପରୀକ୍ଷଣ ପୂର୍ବରୁ ରୁଷ ଆମେରିକାକୁ ସୂଚୀତ କରିଥିଲା । ଏଣୁ ଏହା ଏକ ପୂର୍ବ ନିର୍ଦ୍ଧାରିତ ପରୀକ୍ଷଣ ବୋଲି ଆମେରିକା କହିଛି । ତେବେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ପରୀକ୍ଷଣକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପରୀକ୍ଷଣ କରି ରୁଷ ୟୁକ୍ରେନକୁ ସହାୟତା କରୁଥିବା ନାଟୋ ଦେଶମାନଙ୍କୁ ଚେତାବନୀ ଦେଇଛି ବୋଲି କୁହାଯାଉଛି । ଅର୍ଥାତ ଯେଉଁ ଦେଶମାନେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ସେମାନଙ୍କ ଉପରେ ଆଣବିକ ମିସାଇଲ ମାଡ କରାଯିବ ବୋଲି ପୁଟିନ ପରୋକ୍ଷରେ ଧମକ ଦେଉଛନ୍ତି ବୋଲି ମନେ କରାଯାଉଛି ।

ସୂଚନାଯୋଗ୍ୟ ଯେ, ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ଏସବୁ ଅସ୍ତ୍ରର ବ୍ୟବହାର କରି ୟୁକ୍ରେନର ରୁଷର ମୁକାବିଲା କରିଚାଲିଛି ।

 

ସମ୍ବନ୍ଧିତ ଖବର