ରୁଷ୍‌ର ଧମକ: କଥାବାର୍ତ୍ତା ବନ୍ଦ, କେବଳ ଆକ୍ରମଣ

ମସ୍କୋ: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଲଗାତାର ୪୭ ଦିନ ଧରି ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍‌ ସେନା ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ଜୋର୍‌ଦାର କରିଛି। ରୁଷ୍‌ ସହିତ କୌଣସି ପରିସ୍ଥିତିରେ ସାଲିସ୍‌ର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ଘୋଷଣା କରିଥିବାରୁ ୟୁକ୍ରେନ୍‌ ବାହିନୀ ସବୁ ଶକ୍ତି ଖଟାଇ ଲଢ଼ୁଛନ୍ତି। ଆଜି ସୁଦ୍ଧା ୪୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ି ସାରିଥିବା ବେଳେ ରାଜଧାନୀ କିବ୍‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ପ୍ରମୁଖ ସହରରେ ଛାରଖାର ସ୍ଥିତି ଦେଖିବାକୁ ମିଳିଛି। ଆଜି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍‌ରୋବ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ୟୁକ୍ରେନ୍‌ ସହ ଶାନ୍ତି କଥାବାର୍ତ୍ତା ପାଇଁ ଆମେ ସାମରିକ ଅଭିଯାନକୁ କୌଣସି ସ୍ଥିତିରେ ବି ରୋକିବୁ ନାହିଁ। ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା ପୂର୍ବରୁ ଅଭିଯାନ ବନ୍ଦ ରଖିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ତ୍ତମାନର ପରିସ୍ଥିତି ଭିନ୍ନ ଏବଂ କୌଣସି ସ୍ଥିତିରେ ବି ଶାନ୍ତି କଥାବାର୍ତ୍ତା ପାଇଁ ଆମେ ଅଭିଯାନକୁ ରୋକିବୁ ନାହିଁ ବୋଲି ଲାବ୍‌ରୋବ କହିଛନ୍ତି। ଏଣିକି କଥାବାର୍ତ୍ତା ନୁହେଁ, କେବଳ କାର୍ଯ୍ୟାନୁଷ୍ଠାନ ଚାଲିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ଆକ୍ରମଣକୁ ରୁଷ୍‌ ଏକ ସ୍ବତନ୍ତ୍ର ସାମରିକ ଅଭିଯାନ ବୋଲି ଦର୍ଶାଇଛି। ଶାନ୍ତି କଥାବାର୍ତ୍ତାରୁ କୌଣସି ଫଳ ମିଳୁନଥିବାରୁ ଆମର ସାମରିକ ଅଭିଯାନ ଅଟକିବ ନାହିଁ ଏବଂ ୟୁକ୍ରେନ୍‌ ଯଥୋଚିତ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆଜି ଲାବ୍‌ରୋବ ଧମକାଇଛନ୍ତି। ଅନ୍ୟପକ୍ଷରେ ରୁଷ୍‌ର ମୁକାବିଲା ପାଇଁ ୟୁକ୍ରେନ୍‌କୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇ ଦେବାପାଇଁ ଆମେରିକା ନିଷ୍ପତ୍ତି ନେଇଛି ଏବଂ ଅସ୍ତ୍ର ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବ୍ରିଟେନ୍‌, ଅଷ୍ଟ୍ରେଲିଆ ସମେତ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଇ ଦେଇଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ୍‌ ଉପରେ କୌଣସି ଚାପ କାମ ଦେଉନଥିବା ବେଳେ ଆଜି ୟୁରୋପୀୟ ନେତା ତଥା ଅଷ୍ଟ୍ରିଆର ଚାନ୍ସଲେର କାର୍ଲ ନେହେମର୍‌ ଆଜି ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିଛନ୍ତି। ଯୁଦ୍ଧ ଆରମ୍ଭ ହେବାପରେ ପୁଟିନ୍‌ଙ୍କୁ ଭେଟିବାରେ ସେ ହେଉଛନ୍ତି ପ୍ରଥମ ୟୁରୋପୀୟ ନେତା।

ସମ୍ବନ୍ଧିତ ଖବର