କିବ୍: ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍ରେ ତୀବ୍ର ଲଢ଼େଇ ଚାଲିଛି। ମାରିୟୁପୋଲ୍ ସୁରକ୍ଷାରେ ଥିବା ୟୁକ୍ରେନ୍ ସୈନିକ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ରୁଷ୍ ଆଜି ପୁଣିଥରେ ଚେତାବନୀ ଦେଇଛି। ଯୁଦ୍ଧକୁ ଆଜି ୫୫ ଦିନ ପୂରିଥିବାବେଳେ ରୁଷ୍ ସେମାନଙ୍କୁ ଧମକ ଦେଇ କହିଛି ଯଦି ବଞ୍ଚିବାକୁ ଚାହୁଛ ତେବେ ତୁରନ୍ତ ଅସ୍ତ୍ର ଛାଡ଼ିଦିଅ। ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ପରାମର୍ଶଦାତା କହିଛନ୍ତି, ରୁଷ୍ର ନୂଆ ଆକ୍ରମଣ ବିଫଳ ହେବ। କାରଣ ରୁଷ୍ ନିକଟରେ ଲଢ଼ିବା ପାଇଁ ଆଉ ଅଧିକ ସାମର୍ଥ୍ୟ ନାହିଁ। ତେବେ ରୁଷ୍ର କର୍ନେଲ୍ ଜେନେରାଲ୍ ମିଖାଇଲ୍ ମିଜିନସେଭ ୟୁକ୍ରେନ୍ ସୈନିକଙ୍କୁ ଆତ୍ମସମର୍ପଣ ପାଇଁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ମାରିୟୁପୋଲ୍ର ଆଜବଷ୍ଟଲ ଷ୍ଟିଲ୍ ମିଲ୍ରେ ଥିବା ୟୁକ୍ରେନ୍ ସୈନିକ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ରୁଷ୍ କହିଛି। ଉକ୍ତ ଷ୍ଟିଲ୍ ପ୍ଲାଣ୍ଟ୍ରୁ ବାହାରି ସ୍ବେଚ୍ଛାକୃତ ଭାବେ ଯେଉଁ ସୈନିକମାନେ ଅସ୍ତ୍ର ତ୍ୟାଗ କରିବେ ସେମାନଙ୍କ ପାଇଁ ରୁଷ୍ ମାନବୀୟ କରିଡର ଖୋଲିବ ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଅନ୍ୟପକ୍ଷେ ରୁଷ୍ ଗତକାଲି ରାତିରୁ ଡୋନ୍ବାସ୍ରେ ନୂଆ ଆକ୍ରମଣ ଆରମ୍ଭ କରିଦେଇଛି। ରୁଷ୍ ପୂର୍ବ ୟୁକ୍ରେନ୍ରେ କ୍ରେମିନ୍ନା ସହରକୁ ନିଜ ଦଖଲକୁ ନେଇସାରିଛି। କ୍ରେମିନ୍ନା କିବ୍ଠାରୁ ପ୍ରାୟ ୧୦୦ କିମି ଦୂର। ପୂର୍ବ ୟୁକ୍ରେନ୍ରେ ରୁଷ୍ ପ୍ରଥମ ସହର ଭାବେ କ୍ରେମିନ୍ନା ଦଖଲ କରିଛି।
ଅନ୍ୟପକ୍ଷେ ଖାରକିଭରେ ଜନବସତି ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ୍ କରି ଅନବରତ ଗୋଳାବର୍ଷା କରୁଛି ରୁଷ । ଖାରକିଭ ମେୟର ଇଗୋର ତେରେକୋଭ କହିଛନ୍ତି, ରୁଷ୍ ସେନା ନାଗରିକଙ୍କୁ ଟାର୍ଗେଟ୍ କରି ଗୁଳିଗୋଳା ମାଡ଼ କରୁଛି। ଗତ ୨ ଦିନ ମଧ୍ୟରେ ରୁଷ୍ର ଗୋଳାବର୍ଷା ଯୋଗୁଁ ଖାରକିଭରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଖାରକିଭରେ ଆଜି ଗୋଳାବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f54h65sf4f6s5h4h654h6.jpg)