ଆସନ୍ତା କିଛି ଦିନ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷିଆ : ବାଇଡେନ

ଓ୍ବାସିଂଟନ : ୟୁକ୍ରେନ ସଂକଟକୁ ନେଇ ଜଟିଳତା ବଢିଚାଲିଛି । ଗୋଟିଏ ପଟେ ଋଷିଆ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଥିବାବେଳେ ଅନ୍ୟପଟେ ଆମେରିକା କହୁଛି ଯେ ଋଷିଆ ଯେକୌଣସି ସମୟରେ ଆକ୍ରମଣ କରିପାରେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମକୁ ଯେଉଁସବୁ ସଂକେତ ମିଳୁଛି ତାହା ଦର୍ଶାଉଛି ଯେ ଋଷିଆ ଆସନ୍ତା କିଛି ଦିନ ଭିତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ତେବେ ଏହି ପ୍ରସଙ୍ଗରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିବାର କୌଣସି ଯୋଜନା ନାହିଁ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଏବେ ବି କୂଟନୈତିକ ପନ୍ଥା ଖୋଲା ରହିଛି । ଆଜି ଋଷିଆର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ୟୁକ୍ରେନ ଉପରେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଯାଇଛି । କିନ୍ତୁ ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଆହୁରି ସମୟ ଲାଗିବ ।

ତେବେ ଋଷିଆର ସୈନ୍ୟ ପ୍ରତ୍ୟାହାରକୁ ପାଶ୍ଚାତ୍ୟ ଦେଶ ସଂଦେହ ଦୃଷ୍ଟିରେ ଦେଖୁଛନ୍ତି । ଆଜି ନିଜର ନାମ ଗୋପନ ରଖି ଜଣେ ଆମେରିକୀୟ ଅଧିକାରୀ କହିଥିଲେ ଯେ, ସୈନ୍ୟ ପ୍ରତ୍ୟାହାର ତ ଦୂରର କଥା, ଋଷିଆ ୟୁକ୍ରେନ ସୀମାରେ ପ୍ରାୟ ୭ ହଜାର ଅତିରିକ୍ତ ସୈନ୍ୟ ମୁତୟନ କରିଛି । ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ମସ୍କୋ ମିଛ, କହୁଛି ଓ ଗୋପନରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।

ସମ୍ବନ୍ଧିତ ଖବର