ଇରାନରୁ ୧୦୦ରୁ ଅଧିକ ଲଢୁଆ ଡ୍ରୋନ କିଣିବ ରୁଷ୍

ଓ୍ବାସିଂଟନ : ରୁଷ ନିଜର ମିତ୍ର ଦେଶ ଇରାନଠାରୁ ଶତାଧିକ ଲଢୁଆ ଡ୍ରୋନ କିଣିପାରେ ବୋଲି ଆମେରିକା କହିଛନ୍ତି । ଦି ଓ୍ବାସିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଥିପାଇଁ ରୁଷର ପ୍ରତିନିଧିମଣ୍ଡଳ ନିକଟରେ ଇରାନ ଗସ୍ତ କରିଥିଲେ ।

ୟୁକ୍ରେନ-ରୁଷ ଯୁଦ୍ଧରେ ଡ୍ରୋନ ଏକ ବଡ଼ ଭୂମିକା ଗ୍ରହଣ କରିଛି । ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରି ୟୁକ୍ରେନ ଶକ୍ତିଶାଳୀ ରୁଷର ବ୍ୟାପକ କ୍ଷତି କରିଚାଲିଛି । ରୁଷ ପାଖରେ ସେମିତି ଅତ୍ୟାଧୁନିକ ଡ୍ରୋନ ନଥିବାରୁ ରୁଷ ତାହାର ମୁକାବିଲା କରିପାରୁନାହିଁ ।

ଏହାକୁ ଦୃଷ୍ଟିରେ ରଖି ରୁଷ ନିଜର ମିତ୍ର ଦେଶ ଇରାନଠାରୁ ପ୍ରାୟ ୧୦୦ରୁ ଅଧିକ ଲଢୁଆ ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ରୁଷର ଏକ ପ୍ରତିନିଧିମଣ୍ଡଳ ଗତ କିଛି ଦିନ ମଧ୍ୟରେ ଦୁଇଥର ତେହେରାନ ଗସ୍ତ କରି ଡ୍ରୋନଗୁଡ଼ିକୁ ଦେଇଛନ୍ତି ଓ ଇରାନ ସରକାରଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଗତ ଜୁନ ୮ ଓ ଜୁଲାଇ ୧୫ରେ ରୁଷର ପ୍ରତିନିଧିମଣ୍ଡଳ ଇରାନର କାସାନ ଏୟାରଫିଲଡରେ ଏସବୁ ଡ୍ରୋନର ଦକ୍ଷତା ପରଖିଥିଲେ । ମୁଖ୍ୟତଃ ସାହିଦ-୧୨୯ ଓ ସାହିଦ-୧୯୧ ଡ୍ରୋନର ଦକ୍ଷତା ପରଖିଥିଲେ । ଆମେରିକାର ସାଟେଲାଇଟ୍ ଏସବୁ ଡ୍ରୋନ ପରୀକ୍ଷଣର ଫଟୋ ଉତ୍ତୋଳନ କରିଛି ।

ଏସବୁ ଡ୍ରୋନ ମିଳିବା ପରେ ରୁଷ ସେଗୁଡ଼ିକୁ ୟୁକ୍ରେନ ବିରୋଧରେ ବ୍ୟବହାର କରିବ ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର