ଉତ୍ତରକୋରିଆରୁ ରକେଟ୍, ଗୋଳାବାରୁଦ କିଣିବ ରୁଷ : ଆମେରିକୀୟ ଗୁଇନ୍ଦା ରିପୋର୍ଟ

ଓ୍ବାସିଂଟନ : ୟୁକ୍ରେନ ଯୁଦ୍ଧ ଗତ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ଜାରି ରହିଥିବାରୁ ରୁଷର ସାମରିକ ସରଞ୍ଜାମ ଶେଷ ହୋଇଆସୁଥିବା ମନେ ହେଉଛି । ଏଥିପାଇଁ ରୁଷ ନିଜର ମିତ୍ର ଦେଶ ଇରାନ ଓ ଉତ୍ତର-କୋରିଆଠାରୁ କେତେକ ଅସ୍ତ୍ରଶସ୍ତ୍ର କିଣିବା ଆରମ୍ଭ କରିଛି ।

ନିକଟରେ ରୁଷ ଇରାନଠାରୁ କେତେକ ଲଢୁଆ ଡ୍ରୋନ କିଣିଥିବାବେଳେ ଏବେ ଉତ୍ତରକୋରିଆଠାରୁ ରକେଟ୍ ଓ ଆର୍ଟିଲାରୀ ସେଲ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଆମେରିକୀୟ ଗୁଇନ୍ଦା ଏଜେନ୍ସିମାନେ ରିପୋର୍ଟ ଦେଇଛନ୍ତି । ଏସବୁ ଦେଶଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିବା ଦର୍ଶାଉଛି ଯେ ରୁଷ ଏବେ ନିଜର ଗୋଳାବାରୁଦ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ଅଭାବର ସମ୍ମୁଖୀନ ହେଉଛି । ମୁଖ୍ୟତଃ ଆର୍ଥିକ କଟକଣା ଯୋଗୁଁ ରୁଷ କେତେକ କଞ୍ଚାମାଲ ବାହାରୁ ଆମଦାନୀ କରିପାରୁନାହିଁ । ଏଥିପାଇଁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି ଆମେରିକୀୟ ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।

ଆଗକୁ ମଧ୍ୟ ଉତ୍ତରକୋରିଆରୁ ଆଉ କେତେକ ଅସ୍ତ୍ରଶସ୍ତ୍ର କିଣିବାକୁ ରୁଷ ବିଚାର କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ରୁଷ ସହ ସଂପର୍କ ଛିନ୍ନ କରିଥିବାବେଳେ ଇରାନ, ଚୀନ ଓ ଉତ୍ତର କୋରିଆ ମସ୍କୋ ସହିତ ସଂପର୍କକୁ ଆହୁରି ନିବିଡ଼ କରିଛନ୍ତି । ତେବେ ଚୀନଠାରୁ କାହିଁକି ରୁଷ ଅସ୍ତ୍ରଶସ୍ତ୍ର କିଣୁନାହିଁ ତାହା ସଂଦେହ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର