ୟୁକ୍ରେନକୁ ନାଟୋ ନିୟନ୍ତ୍ରଣରୁ ମୁକ୍ତ କରିବା ପରେ ଯୁଦ୍ଧ ଶେଷ କରିବୁ : ରୁଷ୍

ମସ୍କୋ : ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ପରେ ହିଁ ସାମରିକ ଅଭିଯାନ ଶେଷ କରାଯିବ । ଏପର୍ଯ୍ୟନ୍ତ ଏହି ସାମରିକ ଅଭିଯାନର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ରୁଷ କହିଛି ।

ରୁଷର ସରକାରୀ ନିୟନ୍ତ୍ରଣାଧିନ ସମ୍ବାଦ ସରବରାହ ସଂସ୍ଥା ଟାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିଜର ଲକ୍ଷ୍ୟ ହାସଲ ପରେ ୟୁକ୍ରେନରେ ଚାଲିଥିବା ମିଲିଟାରୀ ଅପରେସନ ଶେଷ ହେବ । ପ୍ରମୁଖ ଲକ୍ଷ୍ୟ ହେଉଛି ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା । ରୁଷ ବୈଦେଶିକ ମନ୍ତ୍ରାଳୟ ତରଫରୁ ଆଲେକ୍ସି ପୋଲିସଚୁକ୍ କହିଛନ୍ତି ଯେ ଏହି ମିଲିଟାରୀ ଅପରେସନର ଆଉ କେତେକ ଲକ୍ଷ୍ୟ ହେଉଛି ଡୋନବାସର ଶାନ୍ତିପୂର୍ଣ୍ଣ ଜନତାଙ୍କ ସୁରକ୍ଷା, ୟୁକ୍ରେନର ବେସାମରିକରଣ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ରୁଷ ଏକ ମିଲିଟାରୀ ଅପରେସନ ବୋଲି କହୁଛି । କିନ୍ତୁ ସମଗ୍ର ବିଶ୍ବରେ ଏହାକୁ ୟୁକ୍ରେନ ବିରୋଧରେ ରୁଷର ଯୁଦ୍ଧ ବୋଲି କୁହାଯାଉଛି । ଗତ ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏବେ ଏହି ଯୁଦ୍ଧ ୫୭ ତମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ଯୋଗୁଁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି ।

 

ସମ୍ବନ୍ଧିତ ଖବର