ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବ ରୁଷ

ମସ୍କୋ : ଗୋଟିଏ ପଟେ ଚୀନ ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିବାକୁ ଯାଉଥିବାବେଳେ ଅନ୍ୟପଟେ ରୁଷ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି । ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସହ ରୁଷର ସଂପର୍କ ଆହୁରି ଖରାପ ହୋଇଯାଇଥିବାରୁ ରୁଷ୍ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ରୁଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ନିଜର ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ସହ ନିଜର ଦାୟିତ୍ବ ନିର୍ବାହ କରିବା ଜାରି ରଖିବ ବୋଲି ମସ୍କୋ କହିଛି ।

କିଛିଦିନ ତଳେ ରୁଷର ମହାକାଶଚାରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରୁଷସେନା ଦ୍ବାରା ଅଧିକୃତ ୟୁକ୍ରେନ ଅଂଚଳର ପତାକା ପ୍ରଦର୍ଶନ କରିଥିଲା । ଏହାଛଡ଼ା ରୁଷ ଓ ୟୁରୋପର ମହାକାଶଚାରୀମାନେ ମିଳିତଭାବେ ମହାକାଶ କେନ୍ଦ୍ରରେ ଥିବା ଏକ ରୋବୋଟିକ ଆର୍ମର ତ୍ରୁଟି ସଜାଡ଼ିଥିଲେ ।

ଏହାପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ରୁଷ ରାଜନୀତି ପାଇଁ ବ୍ୟବହାର କରୁଛି ବୋଲି ଆମେରିକା ଅଭିଯୋଗ କରିଥିଲା । ଆମେରିକାର ଏହି ସମାଲୋଚନା ପରେ ରୁଷ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ମହାକାଶ ଗବେଷଣା ଓ ମହାକାଶକୁ ଶାନ୍ତିପୂର୍ଣ୍ଣ କାମ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏଥିରେ ୧୭ଟି ସହଯୋଗୀ ଦେଶ ଅଛନ୍ତି ।

ସମ୍ବନ୍ଧିତ ଖବର