୬୦ ଆମେରିକୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ରୁଷ୍‌

ମସ୍କୋ : ବ୍ରିଟେନର ପୂର୍ବତନ ଗୁଇନ୍ଦା ଓ ତାଙ୍କ ଝିଅଙ୍କୁ ବିଷ ପ୍ରୟୋଗ କରି ହତ୍ୟା ଉଦ୍ୟମ କରିବା ମାମଲାରେ ରୁଷ୍‌ର ୬୦ ଜଣ କୂଟନୀତିଜ୍ଞଙ୍କୁ ଆମେରିକା ବହିଷ୍କାର କରିବା ପରେ ରୁଷ୍‌ ମଧ୍ୟ ଅନୁରୂପ ଢଙ୍ଗରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛି। ଆମେରିକାର ୬୦ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ସେଣ୍ଟ ପିଟର୍ସବର୍ଗରେ ଥିବା ଆମେରିକୀୟ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଆଜି ରୁଷ୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭର୍ବ କହିଛନ୍ତି। ଏନେଇ ସମସ୍ତ ଆମେରିକୀୟ କୂଟନୀତିଜ୍ଞଙ୍କୁ ମଧ୍ୟ ଅବଗତ କରିଦିଆଯାଇଥିବା ସେ କହିଛନ୍ତି। ଆମେରିକା ସମେତ ଯେଉଁ ସବୁ ରାଷ୍ଟ୍ର ରୁଷ୍‌ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି ଉକ୍ତ ରାଷ୍ଟ୍ରର କୂଟନୀତିଜ୍ଞମାନଙ୍କୁ ମଧ୍ୟ ବହଷ୍କାର କରିବା ପାଇଁ ରୁଷ୍‌ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସମସ୍ତ ରାଷ୍ଟ୍ରଙ୍କୁ ରୁଷିଆ ବିରୋଧୀ କାର୍ଯ୍ୟ କରିବାକୁ ବ୍ରିଟେନ୍‌ ଚାପ ସୃଷ୍ଟି କରୁଥିବା ନେଇ ମଧ୍ୟ ରୁଷ୍‌ ବିଦେଶ ମନ୍ତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର