ଅଗଷ୍ଟ ୧୨ରେ ନିଜର କରୋନା ଟିକାର ପଂଜୀକରଣ କରିବ ଋଷିଆ, ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା

ମସ୍କୋ : ଆସନ୍ତା ୧୨ ତାରିଖରେ ଋଷିଆ ନିଜର ପ୍ରଥମ କରୋନା ଟିକାର ପଂଜୀକରଣ କରିବ ବୋଲି ଋଷିଆର ଉପ-ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଡନେଭ କହିଛନ୍ତି । ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ସେ କହିଛନ୍ତି ଯେ ଏବେ ସେହି ଟିକାର ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହି ପର୍ଯ୍ୟାୟଟି ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଟିକା କେତେ ସୁରକ୍ଷିତ ତାହା ଏହି ପର୍ଯ୍ୟାୟରେ ଯାଞ୍ଚ କରାଯାଉଛି । ଅଗଷ୍ଟ ୧୨ ପରେ ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ।

ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଋଷିଆ କରୋନା ଗବେଷଣା ଜ୍ଞାନକୌଶଳ ଚୋରିକରିଛି ବୋଲି ବ୍ରିଟେନ ଓ ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଛନ୍ତି । ତେବେ ଋଷିଆ ସରକାର ଏହାକୁ ଖଣ୍ଡନ କରୁଛନ୍ତି ।

ସମ୍ବନ୍ଧିତ ଖବର