ଖୁବଶୀଘ୍ର ଋଷୀୟ ବାୟୁସେନାର ସାମିଲ ହେବ ବିଶ୍ୱର ସବୁଠୁ ଆଧୁନିକ ଯୁଦ୍ଧବିମାନ ଏସୟୁ-୫୭, ଭାରତକୁ ବିକିବା ପାଇଁ ଋଷିଆ ଆଗ୍ରହୀ

ମସ୍କୋ : ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଋଷିଆ ନିଜ ବାୟୁସେନାରେ ୫ମ ପିଢିର ଅତ୍ୟାଧୁନିକ ଲଢୁଆ ବିମାନ ଏସୟୁ-୫୭କୁ ସାମିଲ କରିବ । ଏହି ବିମାନର ଦକ୍ଷତା ଗତ ଅଗଷ୍ଟ ମାସରେ ଋଷିଆ ମାକ୍ସ-୨୦୧୯ ଏୟାରଶୋ’ ବେଳେ ପ୍ରଦର୍ଶନ କରିଥିଲା । ଏହା ବର୍ତ୍ତମାନ ବିଶ୍ୱର ସବୁଠୁ ଲଢୁଆ ଓ ଦକ୍ଷ ଯୁଦ୍ଧବିମାନ ବୋଲି ମସ୍କୋ କହୁଛି । ନିକଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିିଥିଲେ ଯେ ଏହି ବିମାନର ଏକ ରପ୍ତାନି ସଂସ୍କରଣ ତିଆରି କରାଯାଉଛି । ଏହି ଲଢୁଆ ବିମାନକୁ ନିର୍ମାଣ କରୁଛି ଋଷିଆର ରାଷ୍ଟ୍ରାୟତ କମ୍ପାନି ରୋସଟେକ ଷ୍ଟେଟ୍‌ କର୍ପୋରେସନ । ଋଷୀୟ ବାୟୁସେନା ୭୬ଟି ଏସୟୁ-୫୭ ଅର୍ଡର ଦେଇଛି ।
ଏହି ବିମାନକୁ ଭାରତକୁ ଯୋଗାଇବାକୁ ଗତ ବର୍ଷଠାରୁ ଋଷିଆ ଆଗ୍ରହ ଦେଖାଇଚାଲିଛି । ତେବେ ଏହି ବିମାନ ଖରିଦ ସଂପର୍କରେ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିଲେ ମଧ୍ୟ ବିଦାୟୀ ବାୟୁସେନା ମୁଖ୍ୟ ବିଏସ ଧାନୋଆ ଏହା ପ୍ରତି ଆଗ୍ରହ ଦେଖାଇଥିଲେ । ଅନ୍ୟପକ୍ଷରେ ଭାରତ ସହ ମିଶି ଏହି ୫ମ ପିଢିର ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ବିମାନ ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ ବୋଲି କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତ କିଣୁଥିବା ରାଫେଲ ବିମାନ ୪.୫ ପିଢିର ବିମାନ ହୋଇଥିବାବେଳେ ସୁଖୋଇ-୫୭ ୫ମ ପିଢିର ବିମାନ ।

ସମ୍ବନ୍ଧିତ ଖବର