ଯୁଦ୍ଧ ନ ଲଢିଲେ କିମ୍ବା ଆତ୍ମସମର୍ପଣ କଲେ ୧୦ ବର୍ଷ ଜେଲ୍ : ପୁଟିନଙ୍କ କଠୋର ଆଇନ

ମସ୍କୋ : ୟୁକ୍ରେନର କେତେକ ଅଂଚଳରେ ରୁଷ ସେନାର ପଛଘୁଞ୍ଚାକୁ ନେଇ ଭୀଷଣ ରାଗିଯାଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିପାଇଁ ସେ ଉପ-ପ୍ରତିରକ୍ଷା ମନ୍ତ୍ରୀ ଡିମିଟ୍ରି ବୁଲଗାକୋଭଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ କର୍ଣ୍ଣେଲ ଜେନେରାଲ ମିଖାଇଲ ମିଜିନଟେଭଙ୍କୁ ନୂଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନକୁ ଅଧିକ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ସେନାରେ ସାଧାରଣ ଲୋକଙ୍କୁ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ସୈନ୍ୟମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଯେଉଁ ସୈନ୍ୟ ସ୍ବେଚ୍ଛାକୃତଭାବେ ଆତ୍ମସମର୍ପଣ କରିବ  କିମ୍ବା ଯୁଦ୍ଧ ଲଢିବାକୁ ମନା କରିବ ତାକୁ ଗିରଫ କରାଯିବ ଓ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ । ଏଥିପାଇଁ ଆଇନରେ କେତେକ ସଂଶୋଧନ ଅଣାଯାଇଛି ଓ ଏଥିରେ ପୁଟିନ ଦସ୍ତଖତ କରିଛନ୍ତି । ପୁଣି ଯେଉଁ ବିଦେଶୀ ରୁଷ ସେନାରେ ଯୋଗ ଦେବ ତାକୁ ରୁଷର ନାଗରିକତା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଥିଲେ । ଯୁଦ୍ଧ ଏବେ ୭ମ ମାସରେ ପ୍ରବେଶ କରିଥିବାବେଳେ ବିଜୟ ଏବେ ବି ରୁଷ ହାତମୁଠାକୁ ଆସିପାରିନାହିଁ । ଏପରିକି କେତେକ ଅଂଚଳକୁ ପୁଣି ୟୁକ୍ରେନ ସେନା ରୁଷ କବଜାରୁ ଛଡ଼େଇ ନେଇଛି ।

ସମ୍ବନ୍ଧିତ ଖବର