ଋଷିଆର ହ୍ୟାକରମାନେ ଚୋରାଉଛନ୍ତି କରୋନା ଟୀକା ତଥ୍ୟ : ବ୍ରିଟେନର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ମହାମାରୀର ମୁକାବିଲା କରିବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ଏସବୁ ଗବେଷଣା ଉପରେ ମାନବ ଜାତିର ଭବିଷ୍ୟତ ନିର୍ଭର କରୁଛି । କିନ୍ତୁ ଏସବୁ ଗବେଷଣାକୁ ନେଇ ଦେଶ ଦେଶ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି ।
କରୋନା ଟୀକା ବାହାର କରିବା କ୍ଷେତ୍ରରେ ସଫଳତା ଆଡ଼କୁ ଅଗ୍ରସର ହେଉଛି ବୋଲି କିଛିଦିନ ତଳେ ଦାବି କରିଥିବା ଋଷିଆ ବିରୁଦ୍ଧରେ ଏକ ସାଂଘାତିକ ଅଭିଯୋଗ କରିଛି ବ୍ରିଟେନ ।

ବ୍ରିଟେନର ଜାତୀୟ ସାଇବର ସୁରକ୍ଷା କେନ୍ଦ୍ର (ଏନସିଏସସି) କହିଛି ଯେ ଋଷିଆର ହ୍ୟାକର ମାନେ ବ୍ରିଟେନର କରୋନା ଟୀକା ସଂପର୍କିତ ଗବେଷଣା ତଥ୍ୟ ଚୋରାଇ ନେଇଛନ୍ତି । କେବଳ ବ୍ରିଟେନ ନୁହେଁ, ଆମେରିକା ଓ କାନାଡା ମଧ୍ୟ ଏହି ଅଭିଯୋଗ କରିଛନ୍ତି । ଏହି ସାଇବର ଚୋରୀ ପଛରେ ଋଷିଆର ଗୁଇନ୍ଦା ସଂସ୍ଥାର ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏନସିଏସସି ମୁଖ୍ୟ ପଲ ଚିଚେଷ୍ଟର କହିଛନ୍ତି ଯେ ଯେଉଁମାନେ କରୋନା ମହାମାରୀ ବିରୁଦ୍ଧରେ ଲଢୁଛନ୍ତି ଏହା ସେମାନଙ୍କ ବିରୁଦ୍ଧରେ ଏକ ଆକ୍ରମଣ ସଦୃଶ । ସେହିପରି ବ୍ରିଟିଶ ବିଦେଶ ମନ୍ତ୍ରୀ ଡୋମିନିକ ରାବ କହିଛନ୍ତି ଯେ କରୋନା ଗବେଷଣାକୁ ଋଷିଆ ଟାର୍ଗେଟ କରିବା ଆଦୌ ଗ୍ରହଣୀୟ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟମାନେ ନିଜ ନିଜର ସ୍ୱାର୍ଥରକ୍ଷା ପାଇଁ ଉଦ୍ୟମ ଚଳାଇଥିବାବେଳେ ବ୍ରିଟେନ ମାନବ ଜାତିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଚଳାଇଛି ।

ସମ୍ବନ୍ଧିତ ଖବର