ରୁଷ-ୟୁକ୍ରେନ ସଙ୍କଟ: ଭାରତ ଉପରେ ଚାପ ବଢ଼ୁଛି, ଆମେରିକା କଟକଣାର ସମ୍ମୁଖୀନ ହୋଇପାରେ

ୱାସିଂଟନ : ରୁଷ-ୟୁକ୍ରେନ ସଙ୍କଟ ନେଇ ଭାରତ ତାହାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଏବେ ଅନ୍ତର୍ଜାତୀୟ ଚାପ ବଢ଼ିବାରେ ଲାଗିଛି। ଆମେରିକା ଓ ଅନ୍ୟ ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍‌ ଯୁଦ୍ଧ ନେଇ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ତା’ର ନୀତି ସ୍ପଷ୍ଟ କରୁ ବୋଲି ଚାହୁଛନ୍ତି। ଗୋଟିଏ ପଟେ ଭାରତର ସବୁ ଋତୁର ବନ୍ଧୁ ତଥା ସାମରିକ ଦୃଷ୍ଟିରୁ ସବୁଠାରୁ ନିର୍ଭରଯୋଗ୍ୟ ସହଯୋଗୀ ରୁଷ୍‌ ଏବଂ ଅନ୍ୟପଟେ ଭାରତର ରଣନୀତିକ ଅଂଶୀଦାର ଆମେରିକା ୟୁକ୍ରେନ୍‌କୁ ନେଇ ମୁହାଁମୁହିଁ ସ୍ଥିତିରେ ଥବାରୁ ଭାରତ ଏହି ମାମଲାରେ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଛି। ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରି କୌଣସି ରାଷ୍ଟ୍ର ଉପରେ ଆକ୍ରମଣ କରିବା ଉଚିତ ନଥିଲା ବୋଲି ଭାରତ ଜାତିସଂଘରେ ସ୍ପଷ୍ଟ କରିଦେଇଥିଲେ ମଧ୍ୟ ରୁଷ୍‌ର ପଦକ୍ଷେପ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହିଁ। ଏହା ସହିତ ଜାତିସଂଘର ସବୁ ଫୋରମ୍‌ରେ ରୁଷ୍‌ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟ୍‌ ଗ୍ରହଣରୁ ଭାରତ ଦୂରେଇ ରହିଛି।

ଶୁକ୍ରବାର ଦିନ ମଧ୍ୟ ଭାରତ ଜାତିସଂଘ ମାନବାଧିକାର ପରିଷଦରେ ରୁଷ୍‌ ବିରୋଧରେ ୟୁକ୍ରେନ୍‌ ଆକ୍ରମଣ ନେଇ ଅନ୍ତର୍ଜାତୀୟ ଯାଞ୍ଚ କମିଟି ଗଠନ ନିମନ୍ତେ ହୋଇଥିବା ଭୋଟ୍‌ରୁ ବିରତ ରହିଥିଲା। ତେବେ ଭାରତର ଏହି ପଦକ୍ଷେପକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ। ଭାରତ ସହିତ ଏ ବାବଦରେ ଆଲୋଚନା ଅସମାହିତ ରହିଛି ବୋଲି ନିକଟରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟାନ ଭାରତର ଅଡ଼ୁଆ ବଢ଼ାଇଛି। ୟୁକ୍ରେନ୍‌ ନେଇ ଭାରତ ତା’ର ନୀତି ସ୍ପଷ୍ଟ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଲଗାତାର ଚାପ ସୃଷ୍ଟି କରୁଛି। ଭାରତ ଉପରେ କଟକଣା ଲାଗୁ କରିବା ନେଇ ବାଇଡେନ୍‌ ଖୁବ୍‌ ଶୀଘ୍ର କୌଣସି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ଆମେରିକା ସିନେଟ୍‌ର ବିଦେଶ ବ୍ୟାପାର କମିଟିରେ ବିଦେଶ ସଚିବ କହିଥିଲେ ଯେ ଭାରତ ରୁଷ୍‌ ସହିତ କେତେକ ହେଲିକପ୍‌ଟର ଓ ଯୁଦ୍ଧାସ୍ତ୍ର ଚୁକ୍ତି ବାତିଲ କରିଥିବାରୁ ଆଗକୁ ଏ ବାବଦରେ ଭାରତ-ଆମେରିକା ଆଲୋଚନା ଜାରି ରହିବ।

Image Courtesy of NDTV

ଭାରତ ଏବେ ନିଜର ନାଗରିକଙ୍କୁ ସୁରକ୍ଷିତ ୟୁକ୍ରେନ୍‌ରୁ ଉଦ୍ଧାର କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବାରୁ କୌଣସି ଏକ ରାଷ୍ଟ୍ରକୁ ସମର୍ଥନ କରି ନିଜ ନାଗରିକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁନାହିଁ। ଅନ୍ୟପକ୍ଷରେ ୟୁକ୍ରେନ୍‌ ସର୍ବଦା ଜାତିସଂଘରେ ପୂର୍ବରୁ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ଏବଂ ପାକିସ୍ତାନକୁ ସୁହାଇବା ଭଳି ପଦକ୍ଷେପ ନେଇଥିବାରୁ ୟୁକ୍ରେନ୍‌ ପ୍ରତି ଖୋଲା ଦରଦ ଦେଖାଇବା ଭାରତ ପକ୍ଷରେ ସମ୍ଭବ ନୁହେଁ। ତେବେ ଭାରତ ସମସ୍ତ ରାଷ୍ଟ୍ରର ଅନ୍ତର୍ଜାତୀୟ ସୀମାକୁ ସମ୍ମାନ ଦେବାକୁ ଗୁରୁତ୍ବାରୋପ କରିଛି ଏବଂ ୟୁକ୍ରେନ୍‌କୁ ମାନବୀୟ ସହାୟତା ପଠାଇଛି। ବୁଧବାର ଜାତିସଂଘ ସାଧାରଣ ପରିଷଦରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବକୁ ନେଇ ଭାରତ ତିନି ପଟୁ (ରୁଷ୍‌-ଆମେରିକା-ୟୁକ୍ରେନ୍‌) ଚାପର ସମ୍ମୁଖୀନ ହୋଇଛି। ତେବେ ଚାପରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷ ପ୍ରତି ଢଳିବା ଅପେକ୍ଷା ଭାରତ ଏହି ମାମଲାରେ ଭୋଟ୍‌ ଦାନରୁ ବିରତ ରହିଥିଲା। ଆଜି ମଧ୍ୟ ଏହା ସମାନ ନୀତି ଗ୍ରହଣ କରିଛି । ଭାରତର ଏହି ପଦକ୍ଷେପ ନେଇ ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍‌ ଭଳି ରାଷ୍ଟ୍ର କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ଭାରତ ୟୁରୋପୀୟ ସଂଘର ପଦକ୍ଷେପକୁ ସମର୍ଥନ କରୁ ବୋଲି ସେମାନେ ଚାହୁଛନ୍ତି।

ଭାରତ ନିଜର ସୁରକ୍ଷା ନେଇ ଘନିଷ୍ଠ ବନ୍ଧୁ ରୁଷ୍‌ ସହ ମିଳିତ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଅଚାନକ ରୁଷ୍‌ର କୌଣସି ପଦକ୍ଷେପକୁ ଖୋଲାଖୋଲି ବିରୋଧ କରିପାରିବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଛି। ଏହା ସହିତ ନାଟୋ ରାଷ୍ଟ୍ର ଏବଂ ରୁଷ୍‌ ମଧ୍ୟରେ ଲାଗି ରହିଥିବା ବିବାଦର କୂଟନୈତିକ ସମାଧାନ ପାଇଁ ଭାରତ ସର୍ବଦା ଗୁରୁତ୍ବ ଦେଇଆସିଛି। ତେବେ ଭାରତର ଏହି ଆଭିମୁଖ୍ୟକୁ ଆମେରିକାର ଉଭୟ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ ସାଂସଦମାନେ ଏବେ ସମାଲୋଚନା କରୁଥିବାରୁ ଭାରତ ଉପରେ ଚାପ ବଢ଼ୁଛି।

The Wire

ୟୁଏନଏଚଆରସି ଭୋଟ୍‌ରୁ ଦୂରେଇ ରହିଲା ଭାରତ, ୧୩ ରାଷ୍ଟ୍ର ଭୋଟିଂରେ ସାମିଲ ହେଲେନି
ଜେନେଭା : ଜାତିସଂଘ ମାନବାଧିକାର ପରିଷଦରେ ଶୁକ୍ରବାର ଦିନ ରୁଷ୍‌ ବିରୋଧରେ ଭୋଟ୍‌ ଗ୍ରହଣ ହୋଇଥିଲା ତେବେ ଭାରତ ପୁଣିଥରେ ଏଭଳି ଭୋଟ୍‌ରୁ ବିରତ ରହିଛି। ୟୁକ୍ରେନ୍‌ ବିରୋଧରେ ରୁଷ୍‌ ଆରମ୍ଭ କରିଥିବା ଯୁଦ୍ଧର ତଦନ୍ତ ପାଇଁ ଏକ ନିରପେକ୍ଷ ତଦନ୍ତ କମିସନ୍‌ ଗଠନ କରିବାକୁ ଜାତିସଂଘ ମାନବାଧିକାର ପରିଷଦରେ ପ୍ରସ୍ତାବ ଅଣାଯାଇଥିଲା। ୟୁକ୍ରେନ୍‌ରେ ମାନବାଧିକାର ସ୍ଥିତି ନେଇ ଶୁକ୍ରବାର ଦିନ ଯେଉଁ ଚିଠି ପ୍ରସ୍ତାବ ଅଣାଯାଇଥିଲା ସେଥିପାଇଁ ୪୭ ଟି ସଦସ୍ୟ ରାଷ୍ଟ୍ର ଭୋଟ୍‌ ଦେଇଥିଲେ। ୟୁକ୍ରେନ୍‌ ସପକ୍ଷରେ ୩୨ଟି ଭୋଟ୍‌ ପଡ଼ିଥିବା ବେଳେ ଭାରତ, ଚୀନ୍‌, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ସମେତ ୧୩ଟି ରାଷ୍ଟ୍ର ଭୋଟ୍‌ରୁ ବିରତ ରହିଛନ୍ତି। ଫ୍ରାନ୍ସ, ଜର୍ମାନୀ, ଜାପାନ, ନେପାଳ, ୟୁଏଇ, ବ୍ରିଟେନ୍‌ ଏବଂ ଆମେରିକା ପରି ରାଷ୍ଟ୍ରମାନେ ୟୁକ୍ରେନ୍‌ ସମର୍ଥନରେ ଭୋଟ୍‌ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ତୃତୀୟ ଥର ପାଇଁ ରୁଷ୍‌ ବିରୋଧରେ ଭୋଟିଂରୁ ଦୂରେଇ ରହିଛି।

ସମ୍ବନ୍ଧିତ ଖବର