ଜେଲେନସ୍କିଙ୍କ ଚିଠିକୁ ପ୍ରଶଂସା
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ବଡ଼ ପଦକ୍ଷେପ ନେବେ ବୋଲି ଆଜି ଆମେରିକା କଂଗ୍ରେସରେ ତାଙ୍କର ଉଦ୍ବୋଧନରେ ଘୋଷଣା କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କଠାରୁ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ସଂକ୍ରାନ୍ତରେ ଏକ ଚିଠି ପାଇଥିବା ଟ୍ରମ୍ପ କହିଛନ୍ତି। ଏହି ଚିଠିରେ ଲେଖାଯାଇଛି, ସ୍ଥାୟୀ ଶାନ୍ତିକୁ ନିକଟତର କରିବା ପାଇଁ ୟୁକ୍ରେନ ଯଥାଶୀଘ୍ର ଆଲୋଚନା ଟେବୁଲକୁ ଆସିବାକୁ ପ୍ରସ୍ତୁତ ଅଛି। ଏଥି ସହିତ ଆମେରିକା ସହ ଖଣିଜ ଚୁକ୍ତିରେ ସ୍ୱାକ୍ଷର କରିବାକୁ ଜେଲେନସ୍କି ତାଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳିର ପ୍ରଥମ କଂଗ୍ରେସ ଅଭିଭାଷଣ ଅବସରରେ ଏହା ପ୍ରକାଶ କରିବା ସହ ଜେଲେନସ୍କିଙ୍କ ଚିଠିକୁ ପ୍ରଶଂସା କରିଛନ୍ତି। ହଜାର ହଜାର ରୁଷୀୟ ଓ ୟୁକ୍ରେନବାସୀ ଯୁଦ୍ଧରେ ମରୁଛନ୍ତି, ତେଣୁ ମୁଁ ଏହି ଅର୍ଥହୀନ ଯୁଦ୍ଧର ଅନ୍ତ କରିବାକୁ ଚାହୁଛି। ୟୁରୋପ ଓ ଜୋ ବାଇଡେନଙ୍କ ପୂର୍ବ ପ୍ରଶାସନ ପରିସ୍ଥିତିକୁ ଖରାପ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଯୁଦ୍ଧରେ ଆମେରିକା ପ୍ରାୟ ୩୫୦ ବିଲିୟନ ଡଲାର ସହାୟତା ଦେବା ଏବଂ ଏହା ଲମ୍ବା ସମୟ ଧରି ଚାଲିଥିବାରୁ ଭୀଷଣ ଅନର୍ଥକାରୀ ସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ବନ୍ଦ ହେବା ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ହ୍ବାଇଟ୍ହାଉସ୍ରେ ରୁଷ୍-ୟୁକ୍ରେନ ଯୁଦ୍ଧବିରତି ପାଇଁ ୟୁକ୍ରେନର ପଦକ୍ଷେପ କ’ଣ ହେବ ସେ ସଂପର୍କରେ ଆଲୋଚନା କରୁଥିବା ବେଳେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା। ଗଣମାଧ୍ୟମ ସମ୍ମୁଖରେ ଦୁଇ ନେତା ମୁହାଁମୁହିଁ ହେବା ହଇଚଇ ସୃଷ୍ଟି କରିଥିଲା। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଅଭିଯୋଗ କରିଥିଲେ ଯେ ଓଭାଲ ଅଫିସରେ ଜେଲେନସ୍କି ଆମେରିକାକୁ ଓ ଆମେରିକା ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଛନ୍ତି। ଆମେରିକାଠାରୁ ୩୫୦ ବିଲିୟନ ଡଲାର ସହାୟତା ପାଇବା ସତ୍ତ୍ବେ ଜେଲେନସ୍କି ସାମାନ୍ୟତମ କୃତଜ୍ଞତା ପ୍ରକାଶ କରିନାହାନ୍ତି। ଏହାପରେ ଜେଲେନସ୍କିଙ୍କ ଟିମ୍କୁ ଚାଲିଯିବାକୁ କୁହାଯାଇଥିଲା ଏବଂ ଆମେରିକା ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷରିତ ହୋଇ ନ ଥିଲା। ଏହାପରେ ଜେଲେନସ୍କି ଟ୍ରମ୍ପଙ୍କ ପାଖକୁ ଏକ ଚିଠି ପଠାଇ ଆମେରିକାର ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଶାନ୍ତି ଚାହୁଛନ୍ତି ଓ ଖଣିଜ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି ଜଣାଇଥିଲେ, ଯାହାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଆଜି ଯୁଦ୍ଧବିରତି ପାଇଁ କଂଗ୍ରେସ ଉଦ୍ବୋଧନରେ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ରୁଷ୍ ୟୁକ୍ରେନରେ ଦଖଲ କରିଥିବା କୌଣସି ଅଂଚଳ ଛାଡ଼ିବ ନାହିଁ ବୋଲି ଦୋହରାଇଛି।
କାବୁଲ ବିମାନବନ୍ଦର ଆକ୍ରମଣକାରୀ ଗିରଫ, ପାକିସ୍ତାନକୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକା କଂଗ୍ରେସରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ୨୦୨୧ ଅଗଷ୍ଟରେ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଜଣେ ଆଫଗାନ ନାଗରିକକୁ ପାକିସ୍ତାନ ସହଯୋଗରେ ଗିରଫ କରାଯାଇଛି। କାବୁଲ୍ରେ ତାଲିବାନ ଶାସନ ଭାର ଗ୍ରହଣ କରିବା ସମୟରେ ଆମେରିକା ସେନା ଆଫଗାନିସ୍ତାନରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟାରେ ସହଯୋଗ କରୁଥିବା ସମୟରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। କାବୁଲ ବିମାନବନ୍ଦର ବିସ୍ଫୋରଣ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଟ୍ରମ୍ପ କହିଥିଲେ ଯେ ଏହା ଆମ ଦେଶର ଇତିହାସରେ ସବୁଠାରୁ ଲଜ୍ଜାଜନକ ମୁହୂର୍ତ୍ତ ଏବଂ ଆଫ୍ଗାନିସ୍ତାନକୁ ନେଇ ଅନେକ ଭୁଲ୍ ନିଷ୍ପତ୍ତି ନିଆଯାଇଥିଲା। ଏହି ଆକ୍ରମଣ ପାଇଁ ଦାୟୀ ଥିବା ଶୀର୍ଷ ଆତଙ୍କବାଦୀ ଏବେ ଗିରଫ ହୋଇସାରିଛି। ଏହି ଆତଙ୍କୀକୁ ଗିରଫ କରିବାପାଇଁ ପାକିସ୍ତାନ ଆମକୁ ସହଯୋଗ କରିଛି। ଆମେରିକାକୁ ସହଯୋଗ କରିଥିବାରୁ ଆମେ ବିଶେଷ କରି ପାକିସ୍ତାନ ସରକାରକୁ ଧନ୍ୟବାଦ ଜଣାଉଛୁ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷେ ଟ୍ରମ୍ପ ପାକିସ୍ତାନକୁ ପ୍ରଶଂସା କରିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଏକ ବିବୃତି ଜାରି କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି।