ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଆଜି ସ୍ବତନ୍ତ୍ର ସଂଯୁକ୍ତ ରାଷ୍ଟ୍ର ମହାସଭା ଅଧିବେଶନ ଡକାଇଛି ଜାତିସଂଘ ନିରାପତ୍ତା ପରିଷଦ୍‌

ୱାସିଂଟନ୍‌: ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ପାଇଁ ସୋମବାର ଦିନ ୧୯୩ ସଦସ୍ୟବିଶିଷ୍ଟ ‘ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା’ର (ୟୁଏନ୍‌ଜିଏ) ଜରୁରୀକାଳୀନ ତଥା ବିରଳ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ରବିବାର ଦିନ ଏଥିପାଇଁ ପ୍ରକ୍ରିୟାତ୍ମକ ଭୋଟ୍‌ ଗ୍ରହଣ କରାଯାଇଥିଲା। କିନ୍ତୁ, ପୂର୍ବ ଭଳି ଭାରତ, ଚୀନ୍‌ ଏବଂ ସଂଯୁକ୍ତ ଆରବ ଏମିରେଟସ୍‌ ଭୋଟ୍‌ ଦାନରୁ ନିବୃତ୍ତ ରହିଥିଲେ।

ଭୋଟ୍‌ ଗ୍ରହଣ ନିମନ୍ତେ ରବିବାର ଅପରାହ୍ଣରେ ୧୫ ରାଷ୍ଟ୍ର ସଦସ୍ୟଥିବା ‘ନିରାପତ୍ତା ପରିଷଦ୍‌’ ବସିଥିଲା। ସେଥିରେ ୟୁକ୍ରେନ୍‌-ରୁଷ୍‌ ସଙ୍କଟ ସଂକ୍ରାନ୍ତରେ ଆଜି ହେବାକୁ ଥିବା ବୈଠକ ସପକ୍ଷରେ ୧୧ଟି ଭୋଟ୍‌ ମିଳିଥିଲା। ଏହା ପ୍ରକ୍ରିୟାତ୍ମକ ଭୋଟ୍‌ ହୋଇଥିବାରୁ ଏହା ଉପରେ ରୁଷ୍‌ ତା’ର ‘ଭିଟୋ’ କ୍ଷମତା ପ୍ରୟୋଗ କରି ନ ପାରି ବୈଠକ ବିପକ୍ଷରେ ଭୋଟ୍‌ ଦେଇଥିଲା।

Image Courtesy of The Indian Express

ଭୋଟ୍‌ ଦେବାରୁ ନିବୃତ୍ତ ରହିବାର କାରଣ ଦର୍ଶାଇବାକୁ ଯାଇ ଭାରତ ରୁଷ୍‌ର ନାମ ଉଲ୍ଲେଖ ନ କରି ଯୁଦ୍ଧ ଅପେକ୍ଷା କୂଟନୈତିକ ମାର୍ଗ ଉପରେ ଗୁରୁତ୍ବାରୋପ କରିଥିଲା। କିନ୍ତୁ, ଏହି ଆଲୋଚନାକୁ ଭାରତ ସ୍ବାଗତ କରିଛି।

ସେପଟେ, ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ ଅଧିବେଶନର ସଭାପତି ଅବ୍ଦୁଲ୍ଲା ଶାହିଦ୍‌ ଜିନିଭାସ୍ଥିତ ମାନବ ଅଧିକାର ପରିଷଦ୍‌ର ୪୯ତମ ନିୟମିତ ଅଧିବେଶନରେ ଯୋଗ ଦେବା ପାଇଁ ଯାଇଥାଆନ୍ତେ। କିନ୍ତୁ, ୟୁକ୍ରେନୀୟ ପରିସ୍ଥିତି ଏବଂ ଭୋଟ୍‌ ପାଇଁ ନିରାପତ୍ତା ପରିଷଦ୍‌ର ବୈଠକ ଲାଗି ସେ ତାଙ୍କ ଗସ୍ତ ବାତିଲ୍‌ କରିଥିଲେ।

ସେହିପରି, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ଉପରୋକ୍ତ କାରଣରୁ ତାଙ୍କର ଜେନିଭା ଗସ୍ତ ବାତିଲ୍ କରିଛନ୍ତି।

ସମ୍ବନ୍ଧିତ ଖବର