କିବ୍: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଡ୍ରୋନ ଆକ୍ରମଣ ତୀବ୍ର ହୋଇଛି। ରବିବାର ଦୁଇ ପକ୍ଷ ପରସ୍ପର ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛନ୍ତି। ୟୁକ୍ରେନ୍ ଆକ୍ରମଣ ଯୋଗୁଁ ରୁଷ୍କୁ ରାଜଧାନୀ ମସ୍କୋର ୪ଟି ବିମାନବନ୍ଦରରୁ ଦୁଇଟିକୁ ବନ୍ଦ କରିବାକୁ ପଡ଼ିଛି। ରୁଷ ଏୟାର ଡିଫେନ୍ସ ସିଷ୍ଟମକୁ ୟୁକ୍ରେନ ଆକ୍ରମଣର ମୁକାବିଲା କରିବାକୁ ବହୁ କସରତ କରିବାକୁ ପଡ଼ିଛି। ଏହା ୨୮ଟି ୟୁକ୍ରେନ ଡ୍ରୋନ୍ ଖସାଇବାରେ ସଫଳ ହୋଇଥିବା ମସ୍କୋ ମେୟର ସର୍ଗେଇ ସୋବୟାନିନ କହିଛନ୍ତି। ଏହି ଆକ୍ରମଣରେ ରୁଷ୍ର ୧୮ରୁ ଅଧିକ ନାଗରିକ ଆହତ ହୋଇଛନ୍ତି। ରୁଷ୍ ବେସାମରିକ ବିମାନ କର୍ତ୍ତୃପକ୍ଷ ରୋସାଭିଏଥସିୟା ସୂଚନାନୁଯାୟୀ, ନିରାପତ୍ତା ଦୃଷ୍ଟିରୁ ବୃହତ୍ ଡୋମୋଡେଡୋଭ ବିମାନବନ୍ଦର ଏବଂ ଜୁକୋଭସ୍କି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ବିମାନବନ୍ଦରରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ରୁଷ୍ର ସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି।
ମସ୍କୋରେ ୨ ବିମାନବନ୍ଦର ବନ୍ଦ, ୧୮ ନାଗରିକ ଆହତ
ୟୁକ୍ରେନର ୨୯ ଆହତ, ୩ ମୃତ
ଅନ୍ୟପକ୍ଷରେ ରୁଷ୍ ରବିବାର ୟୁକ୍ରେନ ଉପରେ ୧୦୧ଟି ଡ୍ରୋନ ମାଡ଼ କରିଛି। ରୁଷ୍ର ୯୦ ଡ୍ରୋନ୍ ଖସାଇ ଦିଆଯାଇଥିବା ୟୁକ୍ରେନ ବାୟୁ ସେନା ପକ୍ଷରୁ କୁହାଯାଇଛି। ତେବେ ରୁଷ୍ ଡ୍ରୋନ ଆକ୍ରମଣରେ ଅତିକମ୍ରେ ୭ ଶିଶୁଙ୍କ ସମେତ ୨୯ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। କିବ୍ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି, ଏବେବି ରୁଷ୍ ଡ୍ରୋନ ସହର ଉପରେ ସକ୍ରିୟ ରହିଛି। ସେ ନାଗରକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛନ୍ତି। ଦେସ୍ନ୍ୟାସ୍କି ଜିଲ୍ଲାର ଏକ ୯ ମହଲା ବିଶିଷ୍ଟ ଘର ଉପରେ ଡ୍ରୋନ ଆକ୍ରମଣ ପରେ ଏହାର ବିଭିନ୍ନ ମହଲାରେ ନିଆଁ ଲାଗି ଯାଇଥିଲା। ଏହି ଜିଲ୍ଲାର ଆଉ ଏକ ୯ ମହଲା କୋଠା ଉପରେ ଆକ୍ରମଣ ହୋଇଥିଲେ ବି ଉଦ୍ଧାରକାରୀ ଦଳ ୫ ଜଣଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଉତ୍ତର କିବ୍ର ଏକ ଜିଲ୍ଲାର ୧୬ ମହଲା କୋଠାରେ ଡ୍ରୋନର ଭଗ୍ନାବଶେଷ ପଡ଼ି ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ଏହାର ପରମାଣୁ କ୍ଷମତା ସମ୍ପନ୍ନ ବୁରେଭେଷ୍ଟନିକ୍ କ୍ରୁଜ କ୍ଷେପଣାସ୍ତ୍ର ପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ ଶେଷ କରିଥିବା ରବିବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/gjgdgdjbcnnb-2025-10-28-01-02-35.jpg)