ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ତାଙ୍କର ସହଯୋଗୀ ରାଷ୍ଟ୍ର ବେଲାରୁଷ୍ ଗସ୍ତ କରି ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଜି ଲୁକାସେଙ୍କୋଙ୍କୁ ସାକ୍ଷାତ୍ କରିଛନ୍ତି। ରାଜଧାନୀ ମିନ୍‌ସ୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପାଶ୍ଚାତ୍ୟର ଅର୍ଥନୈତିକ ଚାପ ଆଗରେ ମୁଣ୍ଡ ନ ନୁଆଇଁ କିପରି ଠିଆ ହେବାକୁ ହେବ ସେ ବାବଦରେ ସେମାନେ ଆଲୋଚନା କରିଥିଲେ। ଏ ବାବଦରେ ପୁଟିନ କହିଛନ୍ତି ଯେ ‘ୟୁନାଇଟେଡ୍ ଡିଫେନ୍ସ ସ୍ପେସ୍’ ଗଠନ ନେଇ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଛି। ତେବେ ଏ ବିଷୟରେ ସେ ବିଶଦ ବିବରଣୀ ଦେଇ ନାହାନ୍ତି। ୟୁକ୍ରେନ୍‌ର ପାୱାର ପ୍ଲାଣ୍ଟଗୁଡ଼ିକ ଉପରେ ରୁଷ୍ ସେନା ଘନଘନ ରାତ୍ରିକାଳୀନ ବୋମାମାଡ଼ କରୁଥିବା ବେଳେ ପୁଟିନଙ୍କ ବେଲାରୁଷ୍ ଗସ୍ତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Advertisment

ଏହାଦ୍ବାରା କିବ୍‌ର ଦୁଃଖ ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ୟୁକ୍ରେନ୍‌ ସୀମାଠାରୁ ମାତ୍ର ୫୫ ମାଇଲ ଦୂରରେ ଅବସ୍ଥିତ ବେଲାରୁଷ୍ ସହଯୋଗରେ ରୁଷ୍ କିବ୍ ଦଖଲ ପାଇଁ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିପାରେ ବୋଲି କୁହାଯାଉଛି। ଏହାଦ୍ବାରା ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ରର ପ୍ରବାହ ଏବଂ ପୋଲାଣ୍ଡରୁ ୟୁକ୍ରେନ୍‌କୁ ମିଳୁଥିବା ସାହାଯ୍ୟ ବ୍ୟାହତ ହେବା ଆଶଙ୍କା ରହିଛି। ପୁଟିନଙ୍କ ଏହି ଗସ୍ତ ଅବସରରେ ରୁଷିଆ ଓ ବେଲାରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାମରିକ ସହଯୋଗ ସୁଦୃଢ଼ୀକରଣ ଉପରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି, ଯଦିଚ ରାଜିନାମାର ବିଷୟବସ୍ତୁ ବାହାରେ ପ୍ରକାଶ କରାଯାଇ ନାହିଁ।