ୟୁକ୍ରେନକୁ ଦୂରଗାମୀ ରକେଟ୍ ସିଷ୍ଟମ ଦେବନାହିଁ ଆମେରିକା, ରୁଷର ସ୍ବାଗତ

ଓ୍ବାସିଂଟନ : ୟୁକ୍ରେନକୁ ରୁଷର ଆଭ୍ୟନ୍ତରୀଣ ଅଂଚଳ ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ଦୂରଗାମୀ ରକେଟ୍ ସିଷ୍ଟମ ପ୍ରଦାନ କରିବାକୁ ମନା କରିଦେଇଛି ଆମେରିକା । ଏ ସଂପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ।

ଦୂରଗାମୀ ରକେଟ୍ ସିଷ୍ଟମ ପ୍ରଦାନ ପାଇଁ ୟୁକ୍ରେନ ପକ୍ଷରୁ ପୂର୍ବରୁ ଆମେରିକାକୁ ଅନୁରୋଧ କରାଯାଇଥିଲା । ଆମେରିକା ମଧ୍ୟ ଏ ନେଇ ବିଚାର କରୁଥିବା ଗତ ସପ୍ତାହରେ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏ ନେଇ କୌଣସି ଯୋଜନା ନାହିଁ ବୋଲି ଆଜି ବାଇଡେନ ସ୍ପଷ୍ଟ କରିଦେଇଛନ୍ତି ।

ୟୁକ୍ରେନକୁ ଦୂରଗାମୀ ରକେନ ନ ପଠାଇବାକୁ ଆମେରିକାର ନିଷ୍ପତ୍ତିକୁ ସ୍ବାଗତ କରିଛି ରୁଷ । ରୁଷ ନିରାପତ୍ତା ପରିଷଦର ଉପାଧ୍ୟକ୍ଷ ଡିମିଟ୍ରି ମେଡବୋଡୋଭ କହିଛନ୍ତି ଯେ ଆମେରିକାର ଏହି ନିଷ୍ପତ୍ତି ଯୁକ୍ତିଯୁକ୍ତ ।

ଏହା ପୂର୍ବରୁ ରୁଷ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଯେ ୟୁକ୍ରେନକୁ ଦୂରଗାମୀ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ ତାହା ବିବାଦକୁ ଆହୁରି ବଢାଇବ । ଯେଉଁ ଦେଶ ୟୁକ୍ରେନକୁ ରୁଷର ଅଂଚଳରେ ପହଞ୍ଚିପାରୁଥିବା ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇବ ତାହା ଯୁଦ୍ଧକୁ ଏକ ଅଗ୍ରହଣୀୟ ଉଚ୍ଚତାକୁ ନେଇଯିବ ବୋଲି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଥିଲେ ।

ଅନ୍ୟପକ୍ଷରେ ୟୁକ୍ରେନ ପାଇଁ ଡ୍ରୋନ ଖରିଦ ନିମନ୍ତେ ଲିଥୁନିଆରେ ଲୋକମାନଙ୍କଠାରୁ ଚାନ୍ଦା ସଂଗ୍ରହ କରାଯାଉଛି । ଏହି ଚାନ୍ଦା ଦ୍ବାରା ଏପର୍ଯ୍ୟନ୍ତ ପ୍ରାୟ ୫.୪ ନିୟୁତ ଡଲାର ସଂଗ୍ରହ କରାଯାଇଛି ।

ସମ୍ବନ୍ଧିତ ଖବର