ଯୁଦ୍ଧ ଥମିବ! ୧୨ ଘଣ୍ଟିଆ ଯୁଦ୍ଧବିରତି ସହମତି, ନରମୁଛନ୍ତି ପୁଟିନ୍‌ ଏବଂ ଜେଲେନ୍‌ସ୍କି

କିବ୍‌ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୧୪ ଦିନ ପୂରିଥିବା ବେଳେ ସଙ୍କଟର ସମାଧାନ ପାଇଁ କିବ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ରୁଷ କଥାବାର୍ତ୍ତା ଜାରି ରଖିଛି। କଥାବାର୍ତ୍ତାରେ ଅଗ୍ରଗତି ହେଉଥିବାର ମଧ୍ୟ ସଙ୍କେତ ମିଳିଲାଣି। ଯୁଦ୍ଧ ବନ୍ଦ କରିବା ପାଇଁ ରୁଷର କେତେକ ସର୍ତ୍ତ ମାନିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ଗତକାଲି ସୂଚନା ଦେଇଥିଲେ। ସେ କହିଥିଲେ ଯେ ନାଟୋରେ ଯୋଗଦେବା ଲାଗି ତାଙ୍କର ଆଉ କୌଣସି ଆଗ୍ରହ ନାହିଁ। ରୁଷ ଆଭିମୁଖ୍ୟ ମଧ୍ୟ ବୁଧବାର ଦିନ କୋହଳ ହୋଇଥିବା ଦେଖିବାକୁ ମିଳିଛି। ରୁଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ସରକାରଙ୍କୁ ଗାଦିଚ୍ୟୁତ କରିବାର କୌଣସି ଯୋଜନା ନାହିଁ। କିଛି ଅଞ୍ଚଳରେ ୧୨ ଘଣ୍ଟିଆ ଯୁଦ୍ଧ ବିରତି ଲାଗି ମଧ୍ୟ ଉଭୟ ଦେଶ ରାଜି ‌ହୋଇଛନ୍ତି।

ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ଦ୍ବିପାକ୍ଷିକ ଆଲୋଚନାରେ ଅଗ୍ରଗତି ଘଟୁଛି। ୟୁ‌‌କ୍ରେନ୍‌ ସରକାରକୁ ହଟାଇବା ପାଇଁ ରୁଷ୍‌ ସେନାକୁ କୁହାଯାଇ ନାହିଁ କି ରୁଷ୍‌ର ଏଭଳି କୌଣସି ଯୋଜନା ମଧ୍ୟ ନାହିଁ। ତେବେ ରୁଷ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା ମୁତାବକ ଚାଲିଛି। ନାଟୋ ରାଷ୍ଟ୍ରମାନଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ବିପଦର ମୁକାବିଲା ପାଇଁ ରୁଷ୍‌ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଚଳାଇଛି ବୋଲି ମାରିଆ କହିଛନ୍ତି।

DNA India

ୟୁକ୍ରେନ୍‌ ସରକାର ହଟାଇବାକୁ ଚାହୁନି ରୁଷ୍‌
ନାଟୋରେ ଯୋଗ ଦେବନି ୟୁକ୍ରେନ

ମାରିଆ ଜାଖାରୋଭା କହିଛନ୍ତି ଯେ ୟୁକ୍ରେନ୍‌ରେ ଆମେରିକା ଦ୍ବାରା ଜୈବଅସ୍ତ୍ର ବିକାଶ ଚାଲିଛି। ଆମେରିକା ଏଦିଗରେ ପ୍ରଥମେ ସ୍ପଷ୍ଟୀକରଣ ଦେଉ ବୋଲି ସେ କହିଛନ୍ତି। କିନ୍ତୁ ଉଭୟ ପେଣ୍ଟାଗନ୍‌ ଏବଂ ୟୁକ୍ରେନ୍‌ ଜୈବିକ ଅସ୍ତ୍ର ପ୍ରସ୍ତୁତି ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆଜି ୧୪ ଦିନରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ୩ ପର୍ଯ୍ୟାୟ କଥାବାର୍ତ୍ତା ହୋଇଛି। ପ୍ରଥମ ୨ ପର୍ଯ୍ୟାୟ କଥାବାର୍ତ୍ତା ସଂପୂର୍ଣ୍ଣ ବିଫଳ ହୋଇଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ପରେ କିଛି ଅଗ୍ରଗତି ହୋଇଛି। ଉଭୟ ରୁଷ୍‌ ଏବଂ ୟୁକ୍ରେନ୍‌ ସେମାନଙ୍କ ଆଭିମୁଖ୍ୟ ନରମ କରିଛନ୍ତି। ଯୁଦ୍ଧ ଥମିବାର ଏହା ପ୍ରଥମ ସଙ୍କେତ ବୋଲି କୁହାଯାଉଛି।

ତେବେ ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ରୁଷ୍‌ ବିରୋଧରେ ଜାରି ହୋଇଥିବା ଅତି କଠୋର ଆର୍ଥିକ କଟକଣାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମାଲୋଚନା କରିଛନ୍ତି। ସେ ଏହି ଆର୍ଥିକ କଟକଣାକୁ ପରମାଣୁ ବୋମା ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ରୁଷ ମଧ୍ୟ ଏହାର ଜବାବ ଦେବ। ଏହାର ପ୍ରଭାବ ‌ୟୁରୋପୀୟ ରାଷ୍ଟ୍ରମାନଙ୍କ ଉପରେ ନିଶ୍ଚିତ ଭାବେ ପଡ଼ିବ।

ଇତିମଧ୍ୟରେ ଆମେରିକାର ବାୟୁସେନା ଘାଟୀ ଦେଇ ୟୁକ୍ରେନକୁ ମିଗ୍ -୨୯ ବିମାନ ପଠାଇବା ଲାଗି ପୋଲାଣ୍ଡ ଦେଇଥିବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଦେଇଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ଏଭଳି ପଦକ୍ଷେପ ନାଟୋ ପାଇଁ ବିପଦ ସୃଷ୍ଟି କରିପାରେ। ତେବେ ୟୁକ୍ରେନକୁ କ୍ଷେପଣାସ୍ତ୍ର ବିଧ୍ବଂସୀ ଟ୍ୟାଙ୍କ ଯୋଗାଇବା ଲାଗି ଆଜି ବ୍ରିଟେନ ଘୋଷଣା କରିଛି।

ସମ୍ବନ୍ଧିତ ଖବର