ମସ୍କୋ: ପୂର୍ବ ୟୁକ୍ରେନ୍ରେ ରୁଷ୍ ସାମରିକ ପ୍ରତିଷ୍ଠାନ ଏବଂ ତୈଳ ଡିପୋକୁ ଟାର୍ଗେଟ୍ କରି ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରୁଛି। ଗତ ରାତିରେ ରୁଷ୍ ୟୁକ୍ରେନ୍ର ୩୮୯ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଥିବା ଦାବି କରିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ବାର୍ବେଙ୍କୋଭ, ପୋକରୋଭସ୍କୋ, ଭୋଜଡିଝେଙ୍କା, ଏବଂ ବେରେଜୋଭ୍ ସହରରେ ଶତାଧିକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିବା ପାଇଁ ରୁଷ୍ ଗତରାତିରେ ୧୦ ଥର ବିମାନ ଆକ୍ରମଣ କରିଛି। ଆକ୍ରମଣରେ ୧୨୦ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି ଏବଂ ବହୁ ସଂଖ୍ୟାରେ ଟ୍ୟାଙ୍କ୍ ଓ ଅନ୍ୟ ଯୁଦ୍ଧାସ୍ତ୍ର ଧ୍ବଂସ ହୋଇଛି। ୬ଟି ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ମଧ୍ୟ ଧ୍ବଂସ ହୋଇଛି। ୩୫ କମାଣ୍ଡ ପୋଷ୍ଟ୍, ୩୩ ଆର୍ଟିଲେରି ପୋଜିସନ୍, ୧୫ଟି କ୍ଷେପଣାସ୍ତ୍ର ଏବଂ ଗୋଳାବାରୁଦ ଡିପୋ ନଷ୍ଟ ହୋଇଯାଇଥିବା ଆକଳନ କରାଯାଇଛି । ୧୮ଟି ୟୁକ୍ରେନ୍ ଡ୍ରୋନ୍କୁ ମଧ୍ୟ ରୁଷ୍ ଖସାଇ ଦେଇଛି । ରୁଷ୍ ଏଯାବତ ୟୁକ୍ରେନ୍ର ୧୪୨ ବିମାନ, ୧୧୨ ହେଲିକପ୍ଟର, ୬୫୮ ଡ୍ରୋନ୍, ୨୭୯ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ୍, ୨,୬୫୬ ଟ୍ୟାଙ୍କ୍ , ୩୦୭ ମଲ୍ଟିପଲ୍ ଲଞ୍ଚ୍ ରକେଟ ସିଷ୍ଟମ୍, ୧୧୮୯ ଫିଲ୍ଡ ଆର୍ଟିଲେରି ଏବଂ ମୋର୍ଟାର ଲଞ୍ଚର୍ ଧ୍ବଂସ କରିଛି। ଅନ୍ୟପକ୍ଷେ ଉତ୍ତର ପୂର୍ବ ସହର ଖାରକିଭରେ ମାରିୟୁପୋଲ ଭଳି ଧ୍ବଂସଲୀଳା ଚାଲିଥିବାରୁ ଖୁବ୍ଶୀଘ୍ର ଏହି ସହରର ପତନ ହେବ ବୋଲି କୁହାଯାଉଛି । ସେଠାରେ ହସ୍ପିଟାଲ ଏବଂ ଆପାର୍ଟମେଣ୍ଟ ଉପରେ ମଧ୍ୟ ବୋମାମାଡ଼ ହୋଇଛି।
ୟୁକ୍ରେନ୍ ସହରରୁ ପଠାଯାଇଥିବା ୨ଟି ଉଦ୍ଧାର ବସ୍ ଉପରେ ରୁଷ୍ ବାହିନୀ ଭୟଙ୍କର ଆକ୍ରମଣ କରିବା ପରେ ବସ୍ ୨ଟି ନିଖୋଜ ହୋଇଯାଇଛି। ଡୋନବାସ୍ ଅଞ୍ଚଳର ପୋପାସନାର ଜଣେ ସାମରିକ ଅଧିକାରୀ କହିଛନ୍ତି, ସ୍ବେଚ୍ଛାସେବୀଙ୍କ ଦ୍ବାରା ପରିଚାଳିତ ହେଉଥିବା ବସ୍ ବୋମାମାଡ଼ର ଶିକାର ହେବାପରେ ନିଖୋଜ ହୋଇଯାଇଛି। ପୋପାସନାକୁ ୩ଟି ବସ୍ ପଠାଯାଇଥିଲା। ସେଥି ମଧ୍ୟରୁ ୨ଟି ଫେରିବାରେ ବିଫଳ ହୋଇଛି ଏବଂ କୌଣସି ଯୋଗାଯୋଗ ହୋଇପାରୁ ନାହିଁ।