ଜାତିସଂଘ: ଜନସାଧାରଣଙ୍କ ମଙ୍ଗଳ ପାଇଁ ମୃତ୍ୟୁ ଓ ଧ୍ବଂସଲୀଳାର ଅବସାନ ଆବଶ୍ୟକ ବୋଲି ଗୁରୁବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଗୁରୁତ୍ବାରୋପ କରି କହିଛନ୍ତି।
ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧକୁ ଅକାରଣ, ନିର୍ମମ ଏବଂ ଏଥିଜନିତ ସମ୍ଭାବ୍ୟ ବୈଶ୍ବିକ କ୍ଷତି ଅକଳନୀୟ ବୋଲି କହି ସେ କହିଛନ୍ତି, ଏହାର ଅବସାନ ନିମନ୍ତେ ବିଶ୍ବ ଏକଜୁଟ ହେବା ଆବଶ୍ୟକ। ଏହି ଯୁଦ୍ଧରେ ଗୋଟିଏ ଦିନ ଅସ୍ତ୍ରବିରତି ହେଲେ ଅନେକ ସାଧାରଣ ଜନତା ମୃତାହାତ ହେବାରୁ ବର୍ତ୍ତିଯିବେ ଏବଂ ଅସୁମାରୀ ଜନତା ୟୁକ୍ରେନ୍ ଛାଡ଼ି ଚାଲିଯାଇ ପାରିବେ।
ଗୁରୁବାର ଦିନ ୟୁକ୍ରେନ୍ର ସାଧାରଣ ଜନତା ଓ ସେମାନଙ୍କର ଭିତ୍ତିଭୂମିର ସୁରକ୍ଷା ନିମନ୍ତେ ଜାତିସଂଘ ସୁରକ୍ଷା ପରିଷଦ୍ ବୈଠକରେ ଉଦ୍ବୋଧନ ଦେବା ବେଳେ ଆଣ୍ଟୋନିଓ ଗୁଟେରେସ୍ ନିକଟ ଅତୀତରେ ରୁଷୀୟ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କୁ ଭେଟିଥିବା ପ୍ରସଙ୍ଗରେ ସଂକ୍ଷିପ୍ତ ବ୍ୟାଖ୍ୟା କରିଥିଲେ। ଏଥିଯୋଗୁଁ ଚଳିତ ସପ୍ତାହରେ ରୁଷ୍ ଅଧିକୃତ ମାରିୟୁପୋଲ୍ ଏବଂ ସେଠାରେ ଥିବା ଇସ୍ପାତ କାରଖାନାରୁ ଦୁଇ ଥର ଜନସ୍ଥାନାନ୍ତରଣ ସମ୍ଭବପର ହୋଇଥିଲା ବୋଲି ସେ କହିଛନ୍ତି।
Image Courtesy of Arab Newsଜାତିସଂଘର ମାନବୀୟ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ ମଧ୍ୟ କହିଛନ୍ତି, ତୃତୀୟ ଜନସ୍ଥାନାନ୍ତରଣ ଲାଗି ଗୁରୁବାର ଦିନ ମାରିୟୁପୋଲ୍ ଅଭିମୁଖେ ଯାଇଥିବା ଗାଡ଼ି ଶୁକ୍ରବାର ସକାଳେ ପହଞ୍ଚିଯିବ ଓ ଇସ୍ପାତ କାରଖାନାରେ ଥିବା ଆହୁରି କିଛି ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ କରାଯାଇପାରିବ।
ଗୁଟେରେସ୍ କହିଛନ୍ତି, ଫେବ୍ରୁଆରି ୨୪ରେ ରୁଷ୍ ଆରମ୍ଭ କରିଥିବା ଆକ୍ରମଣ ସେ ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ଜାତିସଂଘ ଚାର୍ଟର୍କୁ ଉଲ୍ଲଂଘନ କରୁଛି ବୋଲି ମୁଁ ପ୍ରତ୍ୟକ୍ଷଭାବେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ କହିନାହିଁ। ୟୁକ୍ରେନ୍ର ଜନତା, ରୁଷ୍ ଏବଂ ସମଗ୍ର ବିଶ୍ବର ମଙ୍ଗଳ ପାଇଁ ଯୁଦ୍ଧର ଅବସାନ ଘଟାଇବାକୁ ମୁଁ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/gutteres.jpg)