ଚତୁର୍ଥ ମାସରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ମାରିୟୁପୋଲ୍‌ରୁ ମିଳିଲା ୨୦୦ ମୃତଦେହ

ଲୁହାଂସ୍କ ଦଖଲ ପାଇଁ ୧୨୫,୦୦୦ ରୁଷ୍‌ ସୈନିକ ନିୟୋଜିତ

କିବ୍‌: ୟୁ‌କ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିଛି । ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ପାଇଁ ୟୁକ୍ରେନ୍‌ର ପ୍ରମୁଖ ଅଞ୍ଚଳ ଛାରଖାର ହୋଇଯାଇଛି। ୟୁକ୍ରେନରେ ବଡ଼ଧରଣର ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଲକ୍ଷାଧିକ ଲୋକ ବାସହରା ହୋଇ ରାସ୍ତାକଡ଼ ଶିବିରରେ ଆଶ୍ରୟ ନେଇଛନ୍ତି। ଲୁହାଂନସ୍କ ଦଖଲ କରିବାପାଇଁ ରୁଷ୍‌ ୧୨୫,୦୦୦ରୁ ଅଧିକ ସୈନିକଙ୍କୁ ନିୟୋଜିତ କରିଛି। ରୁଷ୍‌ ଦିନକୁ ଦିନ ଏହାର ଆକ୍ରମଣକୁ ଜୋରଦାର କରୁଥିବା ବେଳେ ମାରିୟୁପୋଲ୍‌ରେ ଆଜି ୨୦୦ରୁ ଅଧିକ ମୃତଦେହ ମିଳିଛି। ଭୁଶୁଡ଼ି ପଡ଼ିଥିବା ଏକ ଆପାର୍ଟମେଣ୍ଟ୍‌ର ବେସମେଣ୍ଟ୍‌ରୁ ମୃତଦେହଗୁଡ଼ିକୁ ରେଡ୍‌କ୍ରସ ଟିମ୍‌ ଉଦ୍ଧାର କରିଛି। ମାରିୟୁପୋଲ୍‌କୁ ରୁଷ୍‌ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବେଳେ ଏଠାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି। ଗତ ସପ୍ତାହରେ ଦେସନାରେ ହୋଇଥିବା ଆକ୍ରମଣ ସବୁଠାରୁ ଭୟଙ୍କର ଥିବା କୁହାଯାଉଛି। ଦେସନାରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଆହତ ହୋଇଥିଲେ। ରୁଷ୍‌ ଏବେ ଶିଳ୍ପ ସମୃଦ୍ଧ ଡୋନବାସ୍‌ ଉପରେ ଫୋକସ୍‌ କରିଛି। ସିଭିରୋଡୋନେସ୍କକୁ ଦଖଲ କରିବାପାଇଁ ରୁଷ୍‌ ଏବେ ଜୋରଦାର ଆକ୍ରମଣ ଜାରି ରଖିଛି। ଡୋନବାସ୍‌ ଏବଂ ଲୁହାଂସ୍କର ଏହି ଗୋଟିଏ ମାତ୍ର ଅଞ୍ଚଳ ଏବେ ୟୁକ୍ରେନ୍ ସରକାରର ନିୟନ୍ତ୍ରଣରେ ରହିଛି। ରୁଷ୍‌ ଏହି ଅଂଚଳକୁ ପୂର୍ଣ୍ଣ ସ୍ବାଧୀନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର