ମସ୍କୋ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆଉ ୟୁରୋପ ଭିତରେ ସୀମିତ ନାହିଁ। ସୁଦୂର ଆଫ୍ରିକାକୁ ବ୍ୟାପିଲାଣି ଏହାର ତାତି। ଆଫ୍ରିକାର ଉତ୍ତର ମାଲିରେ ବିଦ୍ରୋହୀ ସେନା ୫୦ ଜଣ ରୁଷୀୟ ଭଡ଼ାସୈନିକଙ୍କୁ ହତ୍ୟା କରିଛନ୍ତି। ତେବେ ରୁଷର ଜଣେ ପୂର୍ବତନ କମାଣ୍ଡର କହିଛନ୍ତି ଯେ ଅତି କମ୍‌ରେ ୮୦ ଜଣ ଲୋକ ନିହତ ହୋଇଥିବା ବେଳେ ୧୫ ଜଣଙ୍କୁ ବନ୍ଧକ ରଖାଯାଇଛି। ପଶ୍ଚିମ ଆଫ୍ରିକାରେ ମାଲି ସରକାରଙ୍କୁ ସାହାଯ୍ୟ କରିବା ପାଇଁ ରୁଷ୍‌ର ଏହି ପାରାମିଲିଟାରି ସୈନିକମାନେ ନିୟୋଜିତ ହୋଇଥିଲେ। ମିଳିଥିବା ଖବର ଅନୁଯାୟୀ, ୟୁକ୍ରେନ୍ ପକ୍ଷରୁ ମାଲି ବିଦ୍ରୋହୀ ଗୋଷ୍ଠୀକୁ ରୁଷୀୟ ଭଡ଼ାସୈନିକଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଋଷ୍-ୟୁକ୍ରେନ୍ ବାହାରେ ୱାଗନର ଗ୍ରୁପର ୫୦ ରୁଷୀୟଙ୍କ ହତ୍ୟା ସାମ୍ପ୍ରତିକ ସମୟରେ ସର୍ବାଧିକ। କେବଳ ସେତିକି ନୁହେଁ, ବିଦ୍ରୋହୀମାନେ ଧରାପଡ଼ିଥିବା ୧୫ ଜଣ ରୁଷୀୟଙ୍କୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି।

Advertisment

ୱାଗନର ଗ୍ରୁପ୍ ହେଉଛି ଆଫ୍ରିକାରେ ସକ୍ରିୟ ଥିବା ଏକ ଘରୋଇ ରୁଷୀୟ ଅର୍ଦ୍ଧସାମରିକ ଗୋଷ୍ଠୀ। ଏହା ରୁଷ୍‌-ଆଫ୍ରିକୀୟ କର୍ପସ୍ ନାମରେ ପରିଚିତ। ରୁଷ୍-ୟୁକ୍ରେନ ଯୁଦ୍ଧରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, କିନ୍ତୁ ଗତ ଅଗଷ୍ଟମାସରେ ଏହାର ନେତା ୟେଭଜେନି ପ୍ରିଗୋଜିନଙ୍କ ମୃତ୍ୟୁ ପରେ ଏହାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା। ଏକ ରିପୋର୍ଟ ଅନୁଯାୟୀ, ଗ୍ରେ ଜୋନ୍ ୱାଗନର ଟେଲିଗ୍ରାମ ଚ୍ୟାନେଲର ସମ୍ପାଦକ ତଥା ମାଲିକ ନିକିତା ଫିଦାୟିନ୍ ମଧ୍ୟ ମାଲିରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଫିଦାୟିନ୍ ତାଙ୍କର ଶେଷ ବାର୍ତ୍ତା ଭାବରେ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଏକ ଜଳୁଥିବା ଗଛ ନିକଟରେ ସଶସ୍ତ୍ର ଵାଗନର ଲଢ଼ୁଆମାନେ ଉପସ୍ଥିତ ଥିଲେ। ବେସରକାରୀ ରୁଷୀୟ ଟେଲିଗ୍ରାମ ଚ୍ୟାନେଲ ଅନୁଯାୟୀ, ପ୍ରାୟ ୮୦ ରୁଷୀୟ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଥିବା ରୁଷୀୟ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହା ସବୁଠାରୁ ବଡ଼ କ୍ଷତି। ଏହି ଆକ୍ରମଣ ପଛରେ ୟୁକ୍ରେନର ଜଣେ ଅଧିକାରୀଙ୍କ ହାତ ଅଛି ଯିଏ ବିଦ୍ରୋହୀମାନଙ୍କୁ ଏହି ଅଞ୍ଚଳରେ ୱାଗନର ଗ୍ରୁପର ଅବସ୍ଥିତି ବିଷୟରେ ଅବଗତ କରାଇଥିଲେ।