ୟୁକ୍ରେନ୍‌ର ଦାବି: ରୁଷ୍‌ର ୮୦୦ ସୈନ୍ୟଙ୍କୁ ନିପାତ କରିଛୁ

କିଏଭ୍‌: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ୍‌ର ସଶସ୍ତ୍ରବାହିନୀ ରୁଷ୍‌ର ୮୦୦ ସୈନିକଙ୍କୁ ନିପାତ କରିଥିବା କଥା ଆଜି ୟୁକ୍ରେନୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଆଜି ଜାରି କରିଥିବା ବିବୃତିରେ ଘୋଷଣା କରିଛି।

ଏହା ବ୍ୟତିରେକେ, ୭ଟି ରୁଷୀୟ ଲଢୁଆ ବିମାନ ଓ ୬ଟି ହେଲିକପ୍ଟର୍‌ ସମେତ ୩୦ ରୁଷୀୟ ଟ୍ୟାଙ୍କ୍‌କୁ ଧ୍ବଂସ କରିଦିଆଯାଇଥିବା କଥା ମଧ୍ୟ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

Image Courtesy of Zee News

ଆଜି ମଧ୍ୟ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ପ୍ରତିଜ୍ଞା କରି କହିଛନ୍ତି ଯେ, ରାଜଧାନୀ ଆଡ଼କୁ ମାଡ଼ି ଆସୁଥିବା ରୁଷ୍‌ ଆକ୍ରମଣକାରୀଙ୍କ ସହିତ ତାଙ୍କ ସେନା ଲଢ଼େଇ କରୁଥିବାରୁ ସେ କିଏଭ୍‌ରେ ହିଁ ଅବସ୍ଥାନ କରିବେ। ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଶତ୍ରୁ ମତେ ୧ ନମ୍ବର ଟାର୍ଗେଟ୍‌ରେ ରଖିଛି। ମୋ ପରିବାର ୨ ନମ୍ବର ଟାର୍ଗେଟ୍‌ରେ ରହିଛି। ରାଷ୍ଟ୍ରମୁଖ୍ୟଙ୍କୁ ମାରି ସେମାନେ ରାଜନୈତିକ ଭାବେ ୟୁକ୍ରେନ୍‌କୁ ଧ୍ବଂସ କରିଦେବାକୁ ଚାହୁଁଛନ୍ତି। କିନ୍ତୁ, ମୁଁ ରାଜଧାନୀରେ ରହିବି। ମୋ ପରିବାରବର୍ଗ ମଧ୍ୟ ୟୁକ୍ରେନ୍‌ରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ ଜଳ, ସ୍ଥଳ ଓ ଆକାଶରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରମୁଖ ସହରରେ ବିସ୍ଫୋରଣ ଏବଂ ଗୁଳିଗୋଳା ଫୁଟିବାରୁ ପ୍ରାୟ ୧ ଲକ୍ଷ ଜନତା ଘରଦ୍ବାର ଛାଡ଼ି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ‌ଅନେକେ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟ ମଧ୍ୟ ମିଳୁଛି।

ସମ୍ବନ୍ଧିତ ଖବର