ରୁଷ୍-ୟୁକ୍ରେନ ଯୁଦ୍ଧରେ ଆର୍ଥିକ ଭାବେ ଲାଭବାନ ‌ହେଉଛନ୍ତି ଆମେରିକା ଓ ଚୀନ

ନୂଆଦିଲ୍ଲୀ: ଏପଟେ ରୁଷ୍-ୟୁକ୍ରେନ ଯୁଦ୍ଧ ଯୁଦ୍ଧ ଚାଲିଥିବା ବେଳେ ସେପଟେ ଆମେରିକା, ଚୀନ ହୋଇଛନ୍ତି ମାଲାମାଲ । ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିବା ଲଢେଇ ଯୋଗୁଁ ଉଭୟ ରୁଷ୍ ଏବଂ ୟୁକ୍ରେନ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଆଉ ଏପଟେ ଏହାର ଫାଇଦା ଗୋଟାଇବାରେ ଲାଗିଛନ୍ତି ଆମେରିକା ଆଉ ଚୀନ।
ରୁଷ୍-ୟୁକ୍ରେନ ଲଢେଇ ମଧ୍ୟରେ ଏକ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ ଏହି ଯୁଦ୍ଧ ଯୋଗୁଁ ଆର୍ଥିକ ଭାବେ ଲାଭବାନ ହେବାରେ ଲାଗିଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା । ଏହା ମଧ୍ୟରେ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ସାମଗ୍ରୀ ତିଆରି କରୁଥିବା ଆମେରିକୀୟ କମ୍ପାନୀସବୁ କୋଟି କୋଟି ଡଲାର କମେଇ ସାରିଲେଣି । ଆଗକୁ ଆହୁରି ଫାଇଦା ପାଇବା ଲକ୍ଷ୍ୟରେ କାମ ଆରମ୍ଭ କରିଦେଲେଣି ।
ଏପଟେ ଚୀନ ମଧ୍ୟ ଏହି ଯୁଦ୍ଧରୁ ଭରପୁର ଲାଭ ଉଠାଇବାରେ ଲାଗିଛି । ଅସ୍ତ୍ରଶସ୍ତ୍ର ନିର୍ମାଣରେ ସାରା ପୁଥିବୀରେ ସବୁଠୁ ଆଗରେ ରହିଛି ଆମେରିକା। ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଏହି ଯୁଦ୍ଧ ଯୋଗୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ବିକାକିଣା ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ୟୁରୋପୀୟ ୟୁନିୟନ ଘୋଷଣା କରିସାରିଲାଣି କି ସେମାନେ ୪୫ କୋଟି ୟୁରୋର ମାରଣାସ୍ତ୍ର କିଣିବେ ଏବଂ ସେସବୁକୁ ୟୁକ୍ରେନକୁ ଦେବେ । ସେହିପରି ୩୫ କୋଟି ଡଲାରର ଅତିରିକ୍ତ ଅସ୍ତ୍ରଶସ୍ତ୍ର ସହାୟତା ଦେବାକୁ ଆମେରିକା ମଧ୍ୟ ଘୋଷଣା କରିଛି ।

ବର୍ତ୍ତମାନ ସୁଦ୍ଧା ଆମେରିକା ଓ ନାଟୋ ଦେଶ ମିଶିକରି ୧୭ ହଜାର ଆଂଟିଟ୍ୟାଙ୍କ ହତିଆର, ୨ ହଜାର ଷ୍ଟିଙ୍ଗର ଆଂଟି ଏୟାରକ୍ରାଫ୍ଟ ମିସାଇଲ୍ ୟୁକ୍ରେନକୁ ଦେଇସାରିଲେଣି । କେବଳ ଏତିକି ନୁହେଁ ୟୁକ୍ରେନରେ ରୁଷ ବିରୋଧୀ ଗୋଷ୍ଠୀ ତିଆରି କରିବା ପାଇଁ ବ୍ରିଟେନ, ଅଷ୍ଟ୍ରେଲିଆ, ତୁର୍କି ଓ କାନାଡା ନେତୃତ୍ୱରେ ଏକ ଅନ୍ତରାଷ୍ଟ୍ରୀୟ ମେଂଟ୍ ତିଆରି କରାଯାଉଛି । ଏସବୁ ଦେଖିବା ପରେ ଆମେରିକାର ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀସବୁ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

ରୁଷ୍-ୟୁକ୍ରେନ ଯୁଦ୍ଧ ପରେ ଆମେରିକାର ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ଲକ୍ହିଡ୍ ର ସେୟାର ୧୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ରେଥେଅନର ସେୟାର ବଢିଛି ୩ ପ୍ରତିଶତ । ଏପଟେ ରୁଷ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧକ ଲଗାଇଥିବାରୁ ମସ୍କୋ ଏବେ ବେଜିଂର ଅଧିକ ନିକଟତର ହେବାରେ ଲାଗିଛି । ଏହାମଧ୍ୟରେ ୟୁଏଇ ସମେତ ଆରବ ଦେଶଗୁଡିକୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଚୀନକୁ ବଡ ଧରଣର ବରାଦ ମିଳିସାରିଲାଣି । ତେଣୁ କୁହାଯାଉଛି କି ଏହି ଯୁୁଦ୍ଧ ଯୋଗୁ ଗୋଟିଏ ପଟେ ରୁଷ ଓ ୟୁକ୍ରେନ ବର୍ବାଦ ହେବାକୁ ଯାଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି ଆମେରିକା ଆଉ ଚୀନ ।

ସମ୍ବନ୍ଧିତ ଖବର