ୱାଶିଂଟନ/ ମସ୍କୋ: ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ରୁଷିଆ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାରଣ ହେଉଛି ପୂର୍ବତନ ରୁଷିଆ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କ ମନ୍ତବ୍ୟ। ଯାହା ଆମେରିକା ଉପରେ ପରମାଣୁ ଆକ୍ରମଣର ପରୋକ୍ଷ ଚେତାବନୀ ପରି ମନେହୋଇଛି। ଟ୍ରମ୍ପ୍ ଏହାକୁ ଏକ ଶେଷ ଚରମବାଣୀ ମଧ୍ୟ କହିଛନ୍ତି।
ଦୁଇ ପକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ଯୋଗୁ ୬୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୬୨ ଅକ୍ଟୋବରରେ ଘଟିଥିବା ଘଟଣା ବିଷୟରେ ଆଲୋଚନା ହେଉଛି। ଯାହା କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ଭାବରେ ଜଣାଶୁଣା। ସେତେବେଳେ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଏକ ପରମାଣୁ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଥିଲେ।
୧୯୬୧ ମସିହା ବର୍ଲିନ୍ ପ୍ରାଚୀର ନିର୍ମାଣ ହୋଇଥିଲା। ଏହା ୟୁରୋପରେ ଉତ୍ତେଜନାକୁ ଶୀର୍ଷରେ ପହଞ୍ଚାଇ ଦେଇଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଭିଏତନାମକୁ କମ୍ୟୁନିଷ୍ଟ ଉତ୍ତର ଦେଶଙ୍କଠାରୁ ରକ୍ଷା କରିବା ପାଇଁ ଆମେରିକା ଭିଏତନାମରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଥିଲା।
ସେହି ସମୟରେ, ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ମହାକାଶ ଦୌଡ଼ ମଧ୍ୟ ତୀବ୍ର ଥିଲା। ୧୯୫୯ ମସିହାରେ ୟୁରି ଗାଗାରିନଙ୍କୁ ମହାକାଶକୁ ପଠାଇ ରୁଷିଆ ଆମେରିକାକୁ ଆଶ୍ଚର୍ଯ୍ୟ କରିଥିଲା। ଏପରି ପରିସ୍ଥିତିରେ,ଆମେରିକୀୟ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଉପରେ କମ୍ୟୁନିଷ୍ଟ ଶକ୍ତି ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହେବା ପାଇଁ ଚାପ ମଧ୍ୟ ପଡ଼ିଥିଲା।
୧୯୬୧ ମସିହାରେ କ୍ୟୁବାରେ ଆମେରିକାର ବିଫଳ ବେ ଅଫ୍ ପିଗ୍ସ ଷଡ଼ଯନ୍ତ୍ର ପରେ, ସୋଭିଏତ୍ ୟୁନିଅନ୍ କ୍ୟୁବାକୁ ସାମରିକ ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲା। ୧୯୬୨ ମସିହା ଜୁଲାଇ ମାସରେ, ସୋଭିଏତ୍ ନେତା ନିକିତା କ୍ରୁଶ୍ଚେଭ୍ ଏବଂ କ୍ୟୁବାର ଫିଡେଲ୍ କାଷ୍ଟ୍ରୋଙ୍କ ମଧ୍ୟରେ ଏକ ଗୁପ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯେ, ସୋଭିଏତ୍ ୟୁନିଅନ୍ କ୍ୟୁବାରେ ପରମାଣୁ କ୍ଷେପଣାସ୍ତ୍ର ମୁତୟନ କରିବ। ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା, ଯଦି ଆମେରିକା ପୁଣି ଆକ୍ରମଣ କରେ, ତେବେ ରୁଷିଆ କ୍ୟୁବାକୁ ସୁରକ୍ଷା ଦେଇପାରିବ।
ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ, ମେ’ ୧୯୬୨ ମସିହାରେ ସୋଭିଏତ୍ ୟୁନିଅନ୍ (ରୁଷିଆ) କ୍ୟୁବାରେ ପରମାଣୁ ଅସ୍ତ୍ର ନିୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା, ବିପ୍ଳବରୁ ମୁକ୍ତ ହୋଇଥିବା କ୍ୟୁବା ସରକାର ତୁରନ୍ତ ଏଥିରେ ରାଜି ହୋଇଯାଇଥିଲା। ସେହି ସମୟରେ, କ୍ୟୁବା ଆମେରିକାଠାରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରି ନିଜର ସଶସ୍ତ୍ର ବାହିନୀକୁ ମଜବୁତ କରୁଥିଲା ଏବଂ ଯେକୌଣସି ଆକ୍ରମଣକୁ ରୋକିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିଥିଲା।
ଅନ୍ୟପକ୍ଷରେ, ସୋଭିଏତ୍ ୟୁନିଅନ୍ର ନିଜସ୍ୱ ରଣନୈତିକ ବାଧ୍ୟବାଧକତା ଏବଂ ଉଦ୍ଦେଶ୍ୟ ଥିଲା। ସେତେବେଳେ ପରମାଣୁ ଶକ୍ତି ଦୃଷ୍ଟିରୁ ରୁଷ ଆମେରିକାଠାରୁ ବହୁତ ପଛରେ ଥିଲା। ଆମେରିକାର ରଷିଆ ତୁଳନାରେ ପ୍ରାୟ ସାତ ଗୁଣା ଅଧିକ ପରମାଣୁ ଯୁଦ୍ଧାସ୍ତ୍ର ଥିଲା। ଆମେରିକାର କ୍ଷେପଣାସ୍ତ୍ରଗୁଡ଼ିକ ୟୁରୋପର ନାଟୋ ଦେଶଗୁଡ଼ିକ ମାଧ୍ୟମରେ ରୁଷିଆକୁ ଟାର୍ଗେଟ କରିବାକୁ ସକ୍ଷମ ଥିଲେ ମଧ୍ୟ, ସୋଭିଏତ୍ ୟୁନିଅନ୍ର ସିଧାସଳଖ ଆମେରିକାକୁ ଟାର୍ଗେଟ କରିବାର କୌଣସି ଉପାୟ ନଥିଲା। କ୍ୟୁବାରେ କ୍ଷେପଣାସ୍ତ୍ର ମୁତୟନ କରି, ରୁଷିଆ ଏହି ଦୁର୍ବଳତାକୁ ଶକ୍ତିରେ ପରିଣତ କରିପାରିବାର କ୍ଷମତା ରଖିଥିଲା।
ଅଧିକ ପଢ଼ନ୍ତୁ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ
୧୪ ଅକ୍ଟୋବର ୧୯୬୨ରେ, ଆମେରିକାର ଏକ ୟୁ-୨ ଗୁପ୍ତଚର ବିମାନ କ୍ୟୁବା ଉପରେ ଉଡ଼ିଥିଲା। ସେଠାରେ ସୋଭିଏତ୍ ୟୁନିଅନ୍ ଦ୍ୱାରା ପରମାଣୁ କ୍ଷେପଣାସ୍ତ୍ର ସ୍ଥଳ ନିର୍ମାଣର ପ୍ରମାଣ ମିଳିଥିଲା। କ୍ୟୁବା ଆମେରିକାର ଫ୍ଲୋରିଡାରୁ ମାତ୍ର ୯୦ ମାଇଲ୍ ଦୂରରେ ଅବସ୍ଥିତ, ଯାହାର ଅର୍ଥ ହେଉଛି ୱାଶିଂଟନ୍ ଡିସି, ନ୍ୟୁୟର୍କ ଭଳି ଏକ ବଡ଼ ଆମେରିକୀୟ ଜନସଂଖ୍ୟା କ୍ଷେପଣାସ୍ତ୍ରର ସିଧାସଳଖ ପରିସର ମଧ୍ୟରେ ଆସିଥିଲା। ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକଳନ କରିଥିଲେ ଯେ, ପ୍ରାୟ ୮ କୋଟି ଆମେରିକୀୟ ନାଗରିକଙ୍କ ଜୀବନ ବିପଦରେ ଅଛି।
ଆମେରିକାର ରାଷ୍ଟ୍ରପତି କେନେଡି ୨୨ ଅକ୍ଟୋବର ୧୯୬୨ରେ ଜାତିକୁ ସମ୍ବୋଧିତ କରି କ୍ୟୁବାର ସମୁଦ୍ର ଅବରୋଧ ଘୋଷଣା କରିଥିଲେ। ଏହା ଏକ ଅତ୍ୟନ୍ତ ସଙ୍କଟ ଜନକ ସମୟ ଥିଲା। ଉଭୟ ମହାଶକ୍ତି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ଏବଂ ଯେକୌଣସି ଭୁଲ୍ ବିଶ୍ୱକୁ ଏକ ଭୟଙ୍କର ଯୁଦ୍ଧକୁ ନେଇଯାଇଥାନ୍ତା। ସମଗ୍ର ବିଶ୍ୱ ୯ ଦିନ ପର୍ଯ୍ୟନ୍ତ ଆତଙ୍କରେ ରହିଥିଲା।
ଶେଷରେ, ଆଲୋଚନା ଏବଂ ପଛଦ୍ବାର କୂଟନୀତି ମାଧ୍ୟମରେ ଏକ ସମାଧାନ ମିଳିଲା। ସୋଭିଏତ୍ ପ୍ରଧାନମନ୍ତ୍ରୀ ନିକିତା କୃଶ୍ଚେଭ୍ ଏକ ଅଦଳବଦଳ ପ୍ରସ୍ତାବ ଦେଇଥିଲେ। ଯଦି ଆମେରିକା ସୋଭିଏତ୍ ୟୁନିଅନ୍ ସୀମାବର୍ତ୍ତୀ ତୁର୍କୀରୁ ନିଜର କ୍ଷେପଣାସ୍ତ୍ର ହଟାଇଦିଏ, ତେବେ ରୁଷିଆ କ୍ୟୁବାରୁ ସମସ୍ତ କ୍ଷେପଣାସ୍ତ୍ର ହଟାଇଦେବ। ନିକିତା ପ୍ରସ୍ତାବ ଦେଇଥିଲେ ଯେ, ସୋଭିଏତ୍ର ସମସ୍ତ କ୍ଷେପଣାସ୍ତ୍ର ପ୍ରତ୍ୟାହାର ପରେ ଆମେରିକା କ୍ୟୁବା ଉପରେ ଆକ୍ରମଣ ନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେବ। କେନେଡି ଅକ୍ଟୋବର ୨୭ ରେ ଏହାକୁ ଗ୍ରହଣ କରିଥିଲେ ଏବଂ ସଙ୍କଟ ଟଳି ଯାଇଥିଲା।
କେନେଡି ଏବଂ ନିକିତାଙ୍କ ମଧ୍ୟରେ କଥାବାର୍ତ୍ତାରେ ଅନେକ ଭୁଲ୍ ବୁଝାମଣା ହୋଇଥିଲା। ଏଥିରୁ ଶିକ୍ଷା ଗ୍ରହଣ କରି, ହ୍ୱାଇଟ୍ ହାଉସ୍ ଏବଂ କ୍ରେମଲିନ୍ ମଧ୍ୟରେ ଏକ ସିଧାସଳଖ ଫୋନ୍ ଯୋଗାଯୋଗ (ହଟ୍ଲାଇନ୍) ସ୍ଥାପନ କରାଯାଇଥିଲା।
ଏହି ଘଟଣା ପରେ, ଉଭୟ ଦେଶ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ବିଷୟରେ ବିଚାର କରିବା ଆରମ୍ଭ କଲେ ଏବଂ ୧୯୬୩ମସିହାରେ ପରମାଣୁ ପରୀକ୍ଷଣ ଉପରେ ଆଂଶିକ ନିଷେଧ ଚୁକ୍ତି ଉପରେ ସହମତ ହୋଇଥିଲେ।
ସମ୍ପ୍ରତି ଟ୍ରମ୍ପ୍ ପରମାଣୁ ବୁଡ଼ାଜାହାଜ ବିଷୟରେ କହୁଛନ୍ତି ଏବଂ ରୁଷିଆ ଡେଡ୍ ହ୍ୟାଣ୍ଡ୍ ସିଷ୍ଟମର କଥା କହୁଛି। ଏପରି ସ୍ଥଳେ ୧୯୬୨ମସିହାର ସେହି ଭୟଙ୍କର ଇତିହାସକୁ ବିଶେଷଜ୍ଞ ମନେ ପକାଇ ଦେଇଛନ୍ତି।
ଅଧିକ ପଢ଼ନ୍ତୁ:
russian | USA ପି.ଏମ୍ କିଷାନ ଯୋଜନା: ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା| donald-trump | vladimir-putin