ମସ୍କୋ: ରୁଷ୍ ନିକଟବର୍ତ୍ତୀ ଅଞ୍ଚଳରେ ଆମେରିକା ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି ଯେ ରୁଷ୍ ସହ ଆବଶ୍ୟକ ସ୍ଥଳେ ପରମାଣୁ ଯୁଦ୍ଧ ଲଢ଼ିବା ପାଇଁ ଆମେ ପ୍ରସ୍ତୁତ। ଏହାକୁ ନେଇ ରୁଷ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ରୁଷ୍ର ଶକ୍ତି ସଂପର୍କରେ ଆମେରିକା କୌଣସି ସନ୍ଦେହରେ ରହିବା ଉଚିତ ନୁହେଁ ବୋଲି କୁହାଯାଇଛି। ସଂସଦ ଡୁମାର ବରିଷ୍ଠ ସଦସ୍ୟମାନେ କହିଛନ୍ତି, ଆମେରିକା ପଠାଇଥିବା ଦୁଇଟି ଆଣିବକ ବୁଡ଼ାଜାହାଜର ମୁକାବିଲା କରିବା ପାଇଁ ଆମ ପାଖରେ ଯଥେଷ୍ଟ ଆଣବିକ ବୁଡ଼ାଜାହାଜ ରହିଛି। ବିଭିନ୍ନ ମହାସାଗରରେ ରୁଷିଆର ଆଣବିକ ବୁଡ଼ାଜାହାଜ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ ଅଧିକ। ସଂପ୍ରତି ପରମାଣୁ ବୁଡ଼ାଜାହାଜ ମୁତୟନ ସମେତ ନାଟୋ ରାଷ୍ଟ୍ରମାନଙ୍କ ପ୍ରତ୍ୟେକଟି ଷଡ୍ଯନ୍ତ୍ରର ଜବାବ ଦେବା ପାଇଁ ରୁଷ୍ ସର୍ବଦା ପ୍ରସ୍ତୁତ ବୋଲି ରୁଷୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି।
କେତେକ ରୁଷୀୟ ସାଂସଦ କହିଛନ୍ତି, ରୁଷ୍ ଓ ଆମେରିକା ମଧ୍ୟରେ ଏକ ମୌଳିକ ଚୁକ୍ତି ହେବା ଜରୁରୀ, ଯାହାଦ୍ୱାରା ସମଗ୍ର ବିଶ୍ୱ ଶାନ୍ତ ହେବ ଏବଂ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବୟାନବାଜି ବନ୍ଦ ହେବ। ‘ଗ୍ଲୋବାଲ ଆଫେୟାର୍ସ’ ପତ୍ରିକାରେ ମୁଖ୍ୟ ସମ୍ପାଦକ ଫିୟୋଦୋର ଲୁକ୍ୟାନୋଭ କହିଛନ୍ତି ଯେ ଟ୍ରମ୍ପଙ୍କ ପରମାଣୁ ବୁଡ଼ାଜାହାଜ ବୟାନକୁ ବର୍ତ୍ତମାନ ପାଇଁ ଗମ୍ଭୀରତାର ସହ ନିଆଯିବା ଉଚିତ ନୁହେଁ। ଏ ବାବଦରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ରୁଷ୍ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲଭରୋଭ କହିଛନ୍ତି ଯେ, ମସ୍କୋ ଓ ୱାସିଂଟନ ମଧ୍ୟରେ ସିଧାସଳଖ ସାମରିକ ସଂଘର୍ଷ ହେବା ଉଚିତ ନୁହେଁ ଏବଂ ଏଥିପାଇଁ ଗଠନମୂଳକ ଆଲୋଚନା ଲୋଡ଼ା।