ମସ୍କୋ : ଗୋଟିଏ ପଟେ ୟୁକ୍ରେନରେ ରୁଷ ସେନାର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବାବେଳେ ଅନ୍ୟପଟେ ବିଜୟ ଉତ୍ସବ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ଆସନ୍ତା ସୋମବାର ମସ୍କୋର ରେଡ୍ ସ୍କ୍ବେୟାରରେ ରୁଷ ୭୭ତମ ବିଜୟ ଦିବସ ପାଳନ କରିବ । ଏହି ଦିନ ହଜାର ହଜାର ରୁଷ ସୈନ୍ୟ, ଯୁଦ୍ଧଯାନ, ଟ୍ୟାଙ୍କ, ବିମାନ ଏହି ସାମରିକ ଉତ୍ସବରେ ଅଂଶଗ୍ରହଣ କରିବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ନାଜି ଜର୍ମାନି ଉପରେ ରୁଷର ବିଜୟକୁ ପାଳନ କରିବାକୁ ପ୍ରତିବର୍ଷ ଏହି ସମାରୋହ ପାଳନ କରାଯାଏ ।
ପ୍ରତିବର୍ଷ ରୁଷ ଏହି ବିଜୟ ଦିବସ ପାଳନ କରୁଥିଲେ ବି ଏବର୍ଷର ବିଜୟ ଦିବସ ଟିକିଏ ସ୍ବତନ୍ତ୍ର ବୋଲି କୁହାଯାଉଛି । କାରଣ ଏବେ ରୁଷ ସେନା ୟୁକ୍ରେନରେ ଯୁଦ୍ଧ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨ ମାସ ବିତିଯାଇଥିଲେ ବି ବିଜୟ ହାସଲ ତ ଦୂରର କଥା ରୁଷ ସେନା ଅନେକ କ୍ଷତି ସହିଛି । ଏଣୁ ନିଜ ସେନା ଓ ଦେଶବାସୀଙ୍କ ମନୋବଳ ଦୃଢ କରିବାକୁ ଏହି ବିଜୟ ଉତ୍ସବକୁ ପୁଟିନ ବ୍ୟବହାର କରିବେ । ପୁଣି ଏହି ବିଜୟ ଦିବସ ବାହାନାରେ ପୁଟିନ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଆହୁରି ତୀବ୍ର କରିପାରନ୍ତି ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି । ଏପରି ହେଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।