ଯୁଦ୍ଧ ଅଧିକ ସମୟ ହେବ ନାହିଁ, ୩୦ ଘଣ୍ଟାରେ ରାଜଧାନୀ କ୍ଵିଭ ପହଞ୍ଚିଲେ ଋଷ ସୈନିକ; ସରକାର ବଦଳିବା ନିଶ୍ଚିତ

କ୍ଵିଭ: ଯୁଦ୍ଧର ଦ୍ଵିତୀୟ ଦିନରେ ହିଁ ଋଷ ସେନା ୟୁକ୍ରେନର ରାଜଧାନୀ କ୍ଵିଭ ପହଞ୍ଚିଯାଇଛି। ନାଟୋ ମୁଖ୍ୟଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ପର୍ଯ୍ୟନ୍ତ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଛନ୍ତି। ସେମାନେ କହିଛନ୍ତି ୟୁକ୍ରେନକୁ ନିଜ ଲଢେଇ ନିଜେ ଲଢିବାକୁ ପଡିବ। ଅସହାୟ ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ୍, ମୋ ପରିବାର ଦୁଇ ନମ୍ବର ଟାର୍ଗେଟ୍।

ଏବେ ଯୁଦ୍ଧ ସମୟରେ ୩ଟି ପ୍ରଶ୍ନ ଉଙ୍କି ମାରୁଛି – ୧. ଆଗାମୀ ୨୪ ଘଣ୍ଟାରେ ୟୁକ୍ରେନର ପରିସ୍ଥିତି କିଭଳି ରହିବ ? ୨. ୟୁକ୍ରେନ ରାଷ୍ଟ୍ରପତିଙ୍କ ପାଖରେ ଏବେ କଣ ରାସ୍ତା ଅଛି ? ୩. ଯୁଦ୍ଧ ଶେଷ ହେବାକୁ ଯାଉଛି କି ?

୧. ଆଗାମୀ ୨୪ ଘଣ୍ଟାରେ ୟୁକ୍ରେନର ପରିସ୍ଥିତି କିଭଳି ରହିବ?

ୟୁକ୍ରେନର ଗୃହମନ୍ତ୍ରୀ ଏକ ବୟାନ ଜାରି କରି କହିଛନ୍ତି, ୨୫ ତାରିଖ ଦିନ ଋଷର ଯୋଜନା ୟୁକ୍ରେନର ରାଜଧାନୀ କ୍ଵିଭକୁ ଘେରିବାର ଅଛି। ଏଠାରେ ସକାଳୁ ହିଁ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଏହି ବିସ୍ଫୋରଣ କ୍ରୁଜ୍ ଓ ବାଲିଷ୍ଟିକ୍ ମିସାଇଲ୍ ଦ୍ଵାରା କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି କହିଛନ୍ତି, କିଛି ଋଷ ସୈନିକ ରାଜଧାନୀ କ୍ଵିଭ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ଏହା ସ୍ପଷ୍ଟଭାବେ ସଙ୍କେତ ଦେଉଛି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଋଷ ସେନାର କମାଣ୍ଡର ରାଷ୍ଟ୍ରପତିଙ୍କ ଅଫିସ ଉପରେ କବ୍ଜା କରି ରାଷ୍ଟ୍ରପତିଙ୍କୁ ଗିରଫ କରିପାରନ୍ତି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସେନା କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇ କହିଥିଲେ ଯେ ଆମେ ପଡୋଶୀ ୟୁକ୍ରେନ ଉପରେ କବ୍ଜା କରିବାକୁ ଚାହୁଁନୁ। ପୁତିନ ୟୁକ୍ରେନରେ ବର୍ତ୍ତମାନ ସରକାରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଅର୍ଥାତ୍ ୟୁକ୍ରେନରେ ଋଷର ସେନା ରହିବ ଓ ତାଙ୍କ କଥାକୁ ସମର୍ଥନ କରୁଥିବା ସରକାର ରହିବ। ପୁତିନ ବର୍ତ୍ତମାନର ୟୁକ୍ରେନର ସରକାରକୁ ନାଜିମାନଙ୍କ କାଠପୁତୁଳା କହିଥାନ୍ତି।

୨. ୟୁକ୍ରେନ ରାଷ୍ଟ୍ରପତିଙ୍କ ପାଖରେ ଏବେ କଣ ରାସ୍ତା ଅଛି ?

ବର୍ତ୍ତମାନର ସ୍ଥିତି ଅନୁସାରେ ଅନ୍ୟ ଦେଶର ସମର୍ଥନ ବିନା ୟୁକ୍ରେନ ଏବେ ଅଧିକ ସମୟ ଧରି ଋଷର ମୁକାବିଲା କରିୁପାରିବ ନାହିଁ। ରାଷ୍ଟ୍ରପତି ଜେଲେଂସ୍କି ସୂଚନା ଦେଇଛନ୍ତି ଆମେ ୯୬ ଘଣ୍ଟାରୁ ଅଧିକ ସମୟ ଧରି ଋଷକୁ ରୋକିପାରିବୁ ନାହିଁ। କୌଣସି ବି ସମୟରେ ଋଷିଆର ସେନା ରାଷ୍ଟ୍ରପତି ଭବନରେ ପ୍ରବେଶ କରିପାରେ। ଏହି ସମୟରେ ଜେଲେଂସ୍କିଙ୍କ ପାଖରେ ୩ଟି ରାସ୍ତା ଅଛି; ସେ ହାର୍ ମାନି ଆତ୍ମସମର୍ପଣ କରିଦେବେ, ଦେଶ ଛାଡି ପଳେଇବେ କିମ୍ବା ଋଷ ସେନା ହାତରେ ଗିରଫ ହେବେ।

୩. ଯୁଦ୍ଧ ଶେଷ ହେବାକୁ ଯାଉଛି କି ?

ଏହି ପ୍ରଶ୍ନର ଉତ୍ତର ହେଉଛି ହଁ। ଏହାର କାରଣଗୁଡିକ ହେଲା ନାଟୋ ସୈନ୍ୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା, ସମାନ୍ୟ ଆର୍ଥିକ ପ୍ରତିବନ୍ଧକ ଓ ୟୁକ୍ରେନର ଦୁର୍ବଳ ସୈନ୍ୟବାହିନୀ।

ନାଟୋ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସମସ୍ତେ ଋଷ ଆକ୍ରମଣର କଠୋର ନିନ୍ଦା କରିଛନ୍ତି। କିନ୍ତୁ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ସେନା ପଠାଇବା ପାଇଁ ସ୍ପଷ୍ଟରୂପେ ମନା କରିଦେଇଛନ୍ତି। ନାଟୋ ଦେଶ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ନେତୃତ୍ଵରେ ଫେବ୍ରୁଆରି ୨୫ ତାରିଖ ଅର୍ଥାତ୍ ଆଜି ଭାର୍ଚୁଆଲ୍ ମିଟିଂ କରିବେ ଯେଉଁଥିରେ ୟୁକ୍ରେନ ବିଷୟରେ କିଛି ନିଷ୍ପତ୍ତି ନିଆଯାଇପାରେ। ତେବେ ସେନାର ସାହାଯ୍ୟ ନପାଇଲେ ୟୁକ୍ରେନ୍ ଏହି ଯୁଦ୍ଧକୁ ଅଧିକ ଦିନ ପର୍ଯ୍ୟନ୍ତ ଲଢିପାରିବ ନାହିଁ।

ଆମେରିକା, ଜର୍ମାନୀ, ବ୍ରିଟେନ୍, ଜାପାନ୍, ୟୁରୋପିଆନ୍ ୟୁନିୟନ୍ ଓ ଅଷ୍ଟ୍ରେଲିଆ ଋଷ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି। କିନ୍ତୁ ଋଷକୁ ଏହାକୁ ଖାତିର କରୁନାହିଁ। ଋଷ ଉପରେ ବଡଧରଣର ପ୍ରତିବନ୍ଧକ ଲଗାଯାଇ ନାହିଁ ଓ ପୁତିନଙ୍କ ଉପରେ ବି ରୋକ ଲଗାଯାଇ ନାହିଁ। ଏହି କାରଣରୁ ପୁତିନ ୟୁକ୍ରେନରେ ଏକ ପରିପୂର୍ଣ୍ଣ ଯୁଦ୍ଧ କରିବାକୁ ଆଦେଶ ଦେଇ ପାରିଥିଲେ।

ଋଷର ପ୍ରତିରକ୍ଷା ବାହିନୀ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଗୋଟିଏ। ୟୁକ୍ରେନ ସେନା ଏହାର ସାମନାରେ ଅତି ଦୁର୍ବଳ। ଏହି କାରଣରୁ ୟୁକ୍ରେନ ଋଷ ସହ ଅଧିକ ଦିନ ଲଢେଇ କରିପାରିବ ନାହିଁ ଓ ଯୁଦ୍ଧ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି।

ସମ୍ବନ୍ଧିତ ଖବର