ମସ୍କୋ: ୟୁକ୍ରେନ୍ ରାଜଧାନୀ କିବ୍ରେ ରୁଷ୍ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛି। କିବ୍ ନିକଟବର୍ତ୍ତୀ ବୁସା ଓ ଅନ୍ୟ କେତେକ ସ୍ଥାନରୁ ସପ୍ତାହକ ମଧ୍ୟରେ ୯ ଶହରୁ ଅଧିକ ଶବ ମିଳିଲାଣି। ଏବେ କିବ୍ ଉପରେ ପୁଣି ଆକ୍ରମଣ ପାଇଁ ରୁଷ୍ର ଧମକ ନାଗରିକଙ୍କ ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନ୍ ରୁଷ୍ର ସୀମାନ୍ତ ସହରଗୁଡ଼ିକୁ ଟାର୍ଗେଟ୍ କରୁଥିବାରୁ ଏହାର ଯଥୋଚିତ ଜବାବ ମିଳିବ ବୋଲି ରୁଷ୍ କହିଛି।। କିବ୍ରେ ପୁଣି କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ ହେବ ବୋଲି ରୁଷ୍ ଆଜି ଚେତାବନୀ ଦେବାପାଇଁ ଲୋକଙ୍କ ପଳାୟନ ଆରମ୍ଭ ହୋଇଛି । ରୁଷ୍ ସେନା ଗତ ରାତିରେ କିବ୍ ବାହାରେ ଏକ ସାମରିକ କାରଖାନା ଉପରେ ଆକ୍ରମଣ କରିଛନ୍ତି। ଏହି ଫ୍ୟାକ୍ଟ୍ରିରେ କ୍ଷେପଣାସ୍ତ୍ର ପ୍ରସ୍ତୁତ ହୁଏ। କ୍ଷେପଣାସ୍ତ୍ର ମାଡ଼ କରି ରୁଷ୍ ଏହି ଫ୍ୟାକ୍ଟ୍ରିରେ ଥିବା ବିଭିନ୍ନ ମିସାଇଲ୍ ସିଷ୍ଟମ୍ ଏବଂ ଆଣ୍ଟି ସିପ୍ ମିସାଇଲ୍ ଧ୍ବଂସ କରିଦେଇଛି।
ମାରିୟୁପୋଲ୍କୁ ମଧ୍ୟ ରୁଷ୍ ସେନା ନିଜ ନିୟନ୍ତ୍ରଣକୁ ନେବା ପ୍ରକ୍ରିୟା ପ୍ରାୟ ଚୂଡ଼ାନ୍ତ କରିଛି । ଇଲିଚ ଷ୍ଟିଲ୍ ପ୍ଲାଣ୍ଟ୍କୁ ରୁଷ୍ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିନେଇଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରୁଷ୍ କହିଛି ଯେ, ୟୁକ୍ରେନ୍ ରୁଷ୍ର ଏକ ଗ୍ରାମରେ ବୋମାବର୍ଷା କରିବାପାଇଁ ହେଲିକପ୍ଟର ପଠାଇଥିଲା। ରୁଷ୍ର ଦାବି ଅନୁଯାୟୀ ୟୁକ୍ରେନ୍ ରୁଷ୍ର ବେଲଗୋରୋଡ ଅଞ୍ଚଳ ସ୍ଥିତ ଏକ ଗ୍ରାମରେ ଗୋଳାବର୍ଷା କରିବା ଯୋଗୁଁ ୨୦ରୁ ଅଧିକ କୋଠା ଏବଂ ସ୍କୁଲ୍ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ରୁଷ୍ ୟୁକ୍ରେନ୍ର ଏକ ଏମ୍ଆଇ- ୮ ହେଲିକପ୍ଟରକୁ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ ବ୍ୟବହାର କରି ଖସାଇ ଦେଇଛି ବୋଲି କହିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ଏହାର ରକେଟ୍ ବାହିନୀ ୩୦ ପୋଲାଣ୍ଡ୍ ସୈନିକଙ୍କୁ ନିପାତ କରିଛନ୍ତି।