ରୁଷ୍‌ର ଚେତାବନୀ: ପରମାଣୁ ଯୁଦ୍ଧ ବିପଦ ଟଳିନାହିଁ

ନାଟୋ ଅସ୍ତ୍ରକୁ ଟାର୍ଗେଟ୍‌ କରିବା ଆମର ପ୍ରମୁଖ ଲକ୍ଷ୍ୟ

ନୂଆଦିଲ୍ଲୀ: ରୁଷ୍‌ ଆଜି ବିଶ୍ବକୁ ପୁଣି ଥରେ ପରମାଣୁ ଯୁଦ୍ଧର ଚେତାବନୀ ଦେଇଛି। ରୁଷ୍‌ କହିଛି ଯେ ପରମାଣୁ ଯୁଦ୍ଧ ବିପଦକୁ ବିଶ୍ବ ଆଦୌ ହେୟ ମନେ ନ କରୁ। ୟୁକ୍ରେନ୍‌ରେ ପାଶ୍ଚା‌ତ୍ୟ ରାଷ୍ଟ୍ରର ଅସ୍ତ୍ର ଧ୍ବଂସ କରିବା ଏବେ ଏହାର ମୁଖ୍ୟ ଟାର୍ଗେଟ୍‌। ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭ୍‌ରୋବ କହିଛନ୍ତି ଯେ ୟୁକ୍ରେନ୍‌ ସହ ଶାନ୍ତି କଥାବାର୍ତ୍ତା ଜାରି ରହିବ। କିନ୍ତୁ ପରମାଣୁ ଯୁଦ୍ଧ ବିପଦ ବାସ୍ତବ ଏବଂ ୟୁକ୍ରେନ୍‌ ଏବେ ବିଶ୍ବକୁ ସେଭଳି ପରିସ୍ଥିତି ଆଡ଼ୁକୁ ନେଉଛି ବୋଲି ଲାଭ୍‌ରୋବ କହିଛନ୍ତି। ଏହାକୁ ହେୟ ମନେ କରିବା ଅଦୌ ଉଚିତ ନୁହଁ ବୋଲି ମତ ଦେଇ ସେ କହିଛନ୍ତି ଯେ ୟୁକ୍ରେନ୍‌ ଶାନ୍ତି କଥାବାର୍ତ୍ତାରେ ବାଧା ସୃଷ୍ଟି କରିଛି। ୟୁକ୍ରେନ୍ ହିଁ ଅଧିକ ଉତ୍ତେଜନା ବଢ଼ାଉଛି ବୋଲି ଲାଭରୋବ କହିଛନ୍ତି।
ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରର ସାମରିକ ସହଯୋଗକୁ ରୁଷ୍‌ କଡ଼ା ବିରୋଧ କରିଛି। ୟୁକ୍ରେନ୍‌ରେ ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ରୁଷ୍‌ର ମୁଖ୍ୟ ଟାର୍ଗେଟ୍‌ ହେବ ବୋଲି ସେ କହିଛନ୍ତି। ୟୁକ୍ରେନ୍‌କୁ ନାଟୋ ରାଷ୍ଟ୍ରମାନେ ଅସ୍ତ୍ର ଯୋଗାଇ ପରିସ୍ଥିତିକୁ ଜଟିଳ କରୁଛନ୍ତି ଏବଂ ଏହାର ଫଳ ସେମାନଙ୍କୁ ଭୋଗିବାକୁ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ୟୁକ୍ରେନ୍‌ ଗସ୍ତରେ ଯାଇ ୟୁ‌କ୍ରେନ୍‌ ପାଇଁ ଅଧିକ ସାମରିକ ସହାୟତା ଘୋଷଣା କରିଥିଲେ। କିନ୍ତୁ ରୁଷ୍‌ ଏହି ବିଷୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛି। ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ନଦେବା ପାଇଁ ରୁଷ୍‌ ଆମେରିକାକୁ କହିଛି।
ତେବେ ପରମାଣୁ ଯୁଦ୍ଧ ନେଇ ରୁଷ୍‌ ବିଶ୍ବକୁ ଚେତାବନୀ ଦେବାପରେ ୟୁକ୍ରେନ୍‌ ଏହାର କଡ଼ା ଜବାବ ଦେଇଛି। ୟୁକ୍ରେନ୍‌ କହିଛି ଯେ ରୁଷ୍‌ ଏହାର ଶେଷ ଆଶା ହରାଇ ଦେଇଛି। ସେଥିପାଇଁ ଏହା ବିଶ୍ବକୁ ତୃତୀୟ ବିଶ୍ବଯୁଦ୍ଧର ଧମକ ଦେଉଛି। ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧରେ ପରାଜୟ ଆଶଙ୍କା କରି ଏଭଳି ଟିପ୍ପଣୀ ଦେଇଛି। ତେଣୁ ବିଶ୍ବ ୟୁକ୍ରେନ୍‌କୁ ଏହାର ସହାୟତା ଦ୍ବିଗୁଣା କରିବା ଉଚିତ୍‌ ବୋଲି ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଡିମିଟ୍ରୋ ଗୁଲେବା କହିଛନ୍ତି।

ସମ୍ବନ୍ଧିତ ଖବର