ମସ୍କୋ: ୟୁକ୍ରେନ୍ ଆକ୍ରମଣ କାରଣରୁ ପାଶ୍ଚାତ୍ୟ ଦେଶସମୂହ ରୁଷ୍ ଉପରେ ଲାଗୁ କରିଥିବା କଟକଣା ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ (ଆଇଏସ୍ଏସ୍) ‘କ୍ରାସ୍’ର (ଦୁର୍ଘଟଣାଗ୍ରସ୍ତ) କାରଣ ହୋଇପାରେ ବୋଲି ଆଜି ରୁଷ୍ ସତର୍କ କରାଇ ଦେଇଥିବା କଥା ‘ଏଏଫ୍ପି’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
ରୁଷୀୟ ମହାକାଶ ଏଜେନ୍ସି ‘ରୋସ୍କସ୍ମସ୍’ର ମୁଖ୍ୟ ଡିମିତ୍ରି ରୋଗୋଜିନ୍ କହିଛନ୍ତି ଯେ, ଜାରି କରାଯାଉଥିବା କଟକଣା ‘ଆଇଏସ୍ଏସ୍’ରେ ସେବା ପ୍ରଦାନ କରୁଥିବା ‘ରୁଷୀୟ ମହାକାଶ’ଯାନଗୁଡ଼ିକ ବାଧା ଦେଇପାରେ। ଫଳରେ ମହାକାଶ କେନ୍ଦ୍ରରେ ଥିବା ରୁଷ୍ର ଅଂଶବିଶେଷ ୫୦୦ ଟନ୍ ଓଜନର ମହାକାଶ କେନ୍ଦ୍ରକୁ ସମୁଦ୍ର କିଂବା ସ୍ଥଳଭାଗରେ ଖସାଇ ପକାଇ ଦେବ। ମହାକାଶ କେନ୍ଦ୍ରରେ ରୁଷ୍ ସଂଯୋଗ କରିଥିବା ଅଂଶଟି ମହାକାଶ କେନ୍ଦ୍ରର କକ୍ଷପଥ ଠିକ୍ ରଖିବାରେ ସହାୟକ ହୋଇଥାଏ। ସେ ଅଂଶଟି କାମ ବନ୍ଦ କଲେ ସମଗ୍ର ମହାକାଶ କେନ୍ଦ୍ର ପ୍ରଭାବିତ ହୋଇ ଦୁର୍ଘଟଣାଗ୍ରସ୍ତ ହେବ।
ତେଣୁ, କଟକଣା ଉଠାଇ ଦେବାକୁ ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର’ରୁ ଯଦି ରୁଷ୍ ବାହାରି ଯାଏ, ପରିଣାମ କ’ଣ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାକୁ ରୁଷ୍ ମହାକାଶ ଏଜେନ୍ସିର ମୁଖ୍ୟ ଦେଇଥିବା ଚେତାବନୀ ପରିପ୍ରେକ୍ଷୀରେ ଉପରୋକ୍ତ ଭିଡିଓ ରିଲିଜ୍ କରାଯାଇଥିଲା।
/sambad/media/post_attachments/wp-content/uploads/2022/03/space-station1-1024x576.jpg)
୪୭ ସେକେଣ୍ଡ୍ର ଏହି ଭିଡିଓରେ ଦେଖାଯାଉଛି ରୁଷୀୟ ମହାକାଶଚାରୀମାନେ ଦ୍ବାର ବନ୍ଦ କରି ହୁସିଆର୍ ହୋଇ ‘ଜଭେଜ୍ଦା ମଡ୍ୟୁଲ୍’କୁ ‘ଫ୍ଲାଇଙ୍ଗ୍ ଆଉଟ୍ପୋଷ୍ଟ୍ରୁ ବାହାର କରି ଆଣୁଛନ୍ତି। ଏହି ମଡ୍ୟୁଲ୍ରେ ବସବାସ କରିବା ପ୍ରକୋଷ୍ଠ ଏବଂ ମହାକାଶ କେନ୍ଦ୍ରରେ ପୁନଃ ଇନ୍ଧନ ଭରିବାର ସାମର୍ଥ୍ୟ ଅଛି। ସେହିପରି, ମହାକାଶ କେନ୍ଦ୍ରରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ମଡ୍ୟୁଲ୍ରେ ରହିଛି ଜାପାନୀ ଓ ୟୁରୋପୀୟ ପରୀକ୍ଷାଗାର।
‘ଜଭେଜ୍ଦା ମଡ୍ୟୁଲ୍’ ମଧ୍ୟ ସମଗ୍ର ‘ଆଉଟ୍ପୋଷ୍ଟ୍’ ପାଇଁ ‘ସ୍ପେସ୍ ଟଗ୍’ (ସାମଗ୍ରୀ ପରିବହନକାରୀ ଯାନ) ଭାବେ କାର୍ଯ୍ୟ କରିବା ସହ ମହାକାଶ କେନ୍ଦ୍ରକୁ ମହାକାଶରେ ଘୂରି ବୁଲୁଥିବା ରକେଟ୍ ଆଦି ଭଗ୍ନାଂଶ ସହ ଧକ୍କା ଖାଇବାରୁ ନିବୃତ୍ତ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ପରୀକ୍ଷାଗାର ‘ଡେଷ୍ଟିନି’ ଭିତରେ ଥିବା ସିଷ୍ଟମ୍ ସହ ତାଳ ଦେଇ ଏହି ମଡ୍ୟୁଲ୍ରେ ଥିବା ଜୀବନ-ରକ୍ଷାକାରୀ ବ୍ୟବସ୍ଥା କାର୍ଯ୍ୟ କରୁଥିବାରୁ ସମଗ୍ର ‘ଆଉଟ୍ପୋଷ୍ଟ’ ପାଇଁ ଏହା ଅତୀବ ଗୁରୁତ୍ବପୂର୍ଣ୍ଣ।
ପୁରୁଣା ହୋଇଯାଇଥିବା ‘ପାୟର୍ସ ମଡ୍ୟୁଲ୍’କୁ ବାହାର କରି ୨୦୨୧ରେ ରୁଷ୍ ମହାକାଶ କେନ୍ଦ୍ରରେ ନୂଆ ମଡ୍ୟୁଲ୍ ‘ନାଉକା’କୁ ସଂଯୋଗ କରିଥିଲା। ଏହା ରୁଷୀୟ ଅଂଶ ପାଇଁ ଗବେଷଣାଗାର, ସଂରକ୍ଷଣ ୟୁନିଟ୍ ଏବଂ ଏୟାର୍ଲକ୍ ଭାବେ କାର୍ଯ୍ୟ କରୁଛି। ଏହାର ଜେଟ୍ ଥ୍ରଷ୍ଟର୍ ଫାୟାର୍ କରିବାରୁ ମହାକାଶ କେନ୍ଦ୍ରରେ ପହଞ୍ଚିବାର କିଛି ସମୟ ପରେ ଏହାକୁ ନିୟନ୍ତ୍ରଣ ବାହାରକୁ ନେଇଯାଇଥିଲା।
ସମ୍ପ୍ରତି ଆମେରିକା, ରୁଷ୍ ଓ ୟୁରୋପୀୟ ଦେଶର ୭ଜଣ ମହାକାଶଚାରୀ ‘ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର’ରେ ଅବସ୍ଥାନ କରୁଛନ୍ତି।