‘ୟୁକ୍ରେନକୁ ସହାୟତା କରନି’ ଆମେରିକାକୁ ରୁଷର ନାଲିଆଖି

ଓ୍ବାସିଂଟନ : ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବାରୁ ଆମେରିକାକୁ ଧମକାଇଛି ରୁଷ । ଆମେରିକାର ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ରୁଷ କହିଛି ।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନେଭ କହିଛନ୍ତି ଯେ, ଆମେରିକା ପକ୍ଷରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଆମ ପାଇଁ ଗ୍ରହଣୀୟ ନୁହେଁ । ଆମେରିକା ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରୁ ବୋଲି ସେ ଦାବି କରିଛନ୍ତି । ରୁଷର ଏହି ଚିନ୍ତା ନେଇ ଆମେରିକା ସରକାରଙ୍କ ନିକଟକୁ ଏକ ଡିପ୍ଲୋମାଟିକ୍ ନୋଟ୍ (କୂଟନୈତିକ ପତ୍ର) ପ୍ରଦାନ କରାଯାଇଛି ଆଣ୍ଟୋନୋଭ କହିଛନ୍ତି ।

ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ ଘୋଷ୍ଟ ଡ୍ରୋନ, ହାଓ୍ବିତଜର ତୋପ, ରକେଟ ଲଞ୍ଚର ଇତ୍ୟାଦି । ଏହାଛଡ଼ା ଅତିରିକ୍ତଭାବେ ଆଉ ୭୧୩ ନିୟୁତ ଡଲାରର ସହାୟତା ପ୍ରଦାନ ପାଇଁ ଗତ ରବିବାର ଦିନ ଆମେରିକାର ପ୍ରତିରକ୍ଷା ସଚିବ ଘୋଷଣା କରିଛନ୍ତି । ଏହି ରାଶି ୟୁକ୍ରେନ ଓ ନିକଟବର୍ତ୍ତୀ ଆଉ କେତେକ ଦେଶଙ୍କୁ ପ୍ରଦାନ କରାଯିବ ।

 

 

ସମ୍ବନ୍ଧିତ ଖବର