ମସ୍କୋ: ରୁଷ୍-ୟୁକ୍ରେନ ଯୁଦ୍ଧ ତୀବ୍ର ହେଉଥିବାବେଳେ ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେବାରୁ ସ୍ଥିତି ଭୟାନକ ହୋଇଛି। ଏହି କାରଣ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍କୁ ସହଯୋଗ କରୁଥିବା ସମସ୍ତ ପଶ୍ଚିମ ରାଷ୍ଟ୍ରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ପୁଟିନ ରୁଷ୍ର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଅତି କଠୋର ପଦକ୍ଷେପ ନେବାକୁ କହିଛନ୍ତି। ରୁଷ୍ ଏହାର ପରମାଣୁ କ୍ଷମତା ପରଖିବାପାଇଁ ଇତିମଧ୍ୟରେ ଏକ ବୈଠକ ମଧ୍ୟ କରି ସାରିଛି ଏବଂ ପରମାଣୁ ଅସ୍ତ୍ର ବ୍ୟବହାର ନୀତିରେ ମଧ୍ୟ ପରିବର୍ତ୍ତନ ଆଣିଛି।
ଆମେରିକା ଗୁଇନ୍ଦା ସଂସ୍ଥାର ସୂଚନାକୁ ଆଧାର କରି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନକୁ ଅସ୍ତ୍ର ସହଯୋଗ ଦେଉଥିବା ପଶ୍ଚିମ ରାଷ୍ଟ୍ରମାନଙ୍କ ଉପରେ ମସ୍କୋ ସିଧାସଳଖ ଆକ୍ରମଣ କରିପାରେ। ଏନ୍ୱାଇଟି ରିପୋର୍ଟରେ ଏହା କୁହାଯାଇଛି ଯେ ରୁଷ୍ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଆକ୍ରମଣ କରିବାପାଇଁ ୟୁକ୍ରେନକୁ ଅନୁମତି ମିଳିବାଦ୍ବାରା ବିଶ୍ବବ୍ୟାପୀ ଆମେରିକାର ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ରୁଷ୍ ଯୋଜନା କରୁଛି। ନାଟୋ ରାଷ୍ଟ୍ରଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁଟିନ ଯେ କୌଣସି ସ୍ତରକୁ ଯାଇପାରନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍କୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଣ ଅନୁମତି ଦେବାପରେ ଅନ୍ୟ ୟୁରୋପୀୟ ରାଷ୍ଟ୍ର ମଧ୍ୟ ୟୁକ୍ରେନ୍କୁ ସାମରିକ ସହଯୋଗ ଅଚାନକ ବଢ଼ାଇ ଦେଇଛନ୍ତି। ଏଭଳି ସ୍ଥିତିରେ ରୁଷ୍ ନିଜକୁ ଅସୁରକ୍ଷିତ ମଣୁଛି ଏବଂ ଚରମ ପଦକ୍ଷେପ ନେବାକୁ ଯୋଜନା କରୁଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ୟୁକ୍ରେନ ଏବେ ରୁଷ୍ ବିରୋଧରେ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରୟୋଗ ଯୋଜନା କରୁଥିବା ରିପୋର୍ଟରେ ଦାବି କରାଯାଇଛି।