ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ୟୁରୋପୀୟ ଦେଶଗୁଡ଼ିକ ରୁଷ୍ ଉପରେ ଅଧିକରୁ ଅଧିକ କଟକଣା ଲଗାଉଛନ୍ତି। ୟୁରୋପକୁ ୟୁରୋପର ତେଲ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ରୁଷ୍ ପାଇଁ ଶ୍ରେଷ୍ଠ ବିକଳ୍ପ ବଜାର ଭାବେ ମଧ୍ୟ ପ୍ରାଚ୍ୟ ଏବଂ ଏସୀୟ ଦେଶଗୁଡ଼ିକ ଉଭା ହୋଇଛନ୍ତି। ବର୍ତ୍ତମାନ ଏହି ଦେଶଗୁଡ଼ିକୁ ରୁଷ୍ ଅଧିକ ତେଲ ରପ୍ତାନି କରୁଛି। ତେବେ ଆଗାମୀ ଦିନରେ ରୁଷ୍ର ତେଲ ରପ୍ତାନି ଏହି ଦେଶଗୁଡ଼ିକୁ ଆହୁରି ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି।
ଡିସେମ୍ବର ୫ରୁ ୟୁରୋପୀୟ ସଂଘ ରୁଷ୍ରୁ ଆମଦାନି କରୁଥିବା ଅନେକଗୁଡ଼ିଏ ପେଟ୍ରୋଲିୟମ ସାମଗ୍ରୀ ଉପରେ କଟକଣା କାର୍ଯ୍ୟକାରୀ କରିବ। ଏହାପରେ ଆସନ୍ତାବର୍ଷ ଫେବ୍ରୁଆରିରୁ ତୈଳ ସାମଗ୍ରୀ ଆମଦାନି ଉପରେ କଟକଣା ଲଗାଇବେ। ଫଳରେ ରୁଷ୍ ଏହାର ଅଧିକାଂଶ ଇନ୍ଧନକୁ ଏସୀୟ ଦେଶକୁ ପଠାଇବ।
ଭାରତ ଓ ଚୀନ ଗତମାସରେ ରୁଷ୍ରୁ ଦୈନିକ ୨.୭ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଆମଦାନି କରିଛନ୍ତି। ଗତବର୍ଷ ଅଗଷ୍ଟ ତୁଳନାରେ ଏଥିରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ଛୋଟ ଛୋଟ ଦେଶଗୁଡ଼ିକ ମଧ୍ୟ ରୁଷ୍ରୁ ଇନ୍ଧନ ଆମଦାନି ବଢ଼ାଇଛନ୍ତି। ଗତବର୍ଷ ଅଗଷ୍ଟରେ ଛୋଟ ଦେଶଗୁଡ଼ିକ ରୁଷ୍ରୁ ଦୈନିକ ୫,୬୧,୦୦୦ ବ୍ୟାରେଲ ଅଶୋଧିତ ତେଲ ଆମଦାନି କରିଥିବାବେଳେ ଚଳିତବର୍ଷ ଅଗଷ୍ଟରେ ଏହା ୯,୨୬,୦୦୦ ବ୍ୟାରେଲକୁ ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାଯାଇଛି।
ଯୁଦ୍ଧ ଆରମ୍ଭ ପରେ ୟୁରୋପ କଟକଣା ଲଗାଇବା ଫଳରେ ରୁଷ୍ ବିଭିନ୍ନ କୌଶଳ ଅବଲମ୍ବନ କରି ବିଦେଶକୁ ଅଶୋଧିତ ତେଲ ଓ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କରୁଛି। ସେହି କୌଶଳଗୁଡ଼ିକ ହେଲା ରିବ୍ରାଣ୍ଡିଂ, ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ତେଲ ସ୍ଥାନାନ୍ତର, ଜଳଭାଗରେ ତେଲ ମହଜୁଦ ପରିମାଣ ବୃଦ୍ଧି କରିବା। ଏସିଆର ପ୍ରମୁଖ ବନ୍ଦରଗୁଡ଼ିକରେ ଅଶୋଧିତ ତେଲ ଓ ଇନ୍ଧନ ଗଚ୍ଛିତ ରଖିବା ପାଇଁ ଉଭୟ ସ୍ଥଳ ଏବଂ ଜଳଭାଗରେ ପର୍ଯ୍ୟାପ୍ତ ସୁବିଧା ରହିଛି। ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶର ରୋଷରୁ ବର୍ତ୍ତିବା ପାଇଁ କିଛି ଦେଶ ଏସବୁ ବନ୍ଦରକୁ ରୁଷରୁ ଆସୁଥିବା ଅଶୋଧିତ ତେଲରେ ଅନ୍ୟ ସାମଗ୍ରୀ ମିଶ୍ରଣ କରି ତାହାକୁ ରିବ୍ରାଣ୍ଡିଂ କରୁଛନ୍ତି।
ଏହାପରେ ତାହାକୁ ଏସିଆର ବିଭିନ୍ନ ଦେଶକୁ ପଠାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସକୁ ରୁଷ୍ରୁ ଆସୁଥିବା ତେଲ ପରିମାଣ ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ୫ ଗୁଣା ବୃଦ୍ଧି ଘଟିଛି। ସିଙ୍ଗାପୁରକୁ ରପ୍ତାନି ୨୫ ପ୍ରତିଶତ ବୃଦ୍ଧି ଘଟିଛି। ରୁଷ ଉପରେ ଅଧିକ କଟକଣା ଲାଗୁହେବା ପରେ ଅଧିକାଂଶ ଦେଶ ସିଧାସଳଖ ଏହି ଦେଶଠାରୁ ଅଶୋଧିତ ତେଲ କିଣିବାକୁ ଚାହୁନାହାନ୍ତି। ତେଣୁ ରୁଷ୍ରୁ ଆସୁଥିବା ଜାହାଜରୁ ତେଲ କଢ଼ାଯାଇ ଅନ୍ୟ ଏକ ଜାହାଜରେ ରଖାଯାଉଛି। ତାହାପରେ ଦ୍ବିତୀୟ ଜାହାଜଟି ଆମଦାନିକାରୀ ଦେଶ ନିକଟରେ ତେଲ ପହଞ୍ଚାଉଛି। ଏହାବ୍ୟତୀତ ରୁଷରୁ ଅଧିକ ତେଲ ଆସିବା ଫଳରେ ଏସୀୟ ଦେଶଗୁଡ଼ିକ ତାହାକୁ ସାଇତି ରଖିବା ପାଇଁ ସମର୍ଥ ହୋଇ ନପାରନ୍ତି। ଏହାହେଲେ ସମୁଦ୍ରରେ ଅଶୋଧିତ ତେଲ ଗଚ୍ଛିତ ପରିମାଣ ବଢ଼ିବ। ଗତବର୍ଷ ସେପ୍ଟେମ୍ବର ୧୧ରେ ବିଶ୍ବର ଜଳଭାଗରେ ୨.୯ ନିୟୁତ ତେଲ ଗଚ୍ଛିତ ଥିବାବେଳେ ଚଳିତବର୍ଷ ତାହା ୫.୬୭ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।