କିବ୍‌ : ୟୁକ୍ରେନ୍‌ ଯୁଦ୍ଧ‌ରେ ରୁଷ୍‌ ବିଜୟ ହାସଲ କରିବାପାଇଁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛି। ୟୁକ୍ରେନ୍‌ର ସ୍ବପ୍ନକୁ ଧୁଳିସାତ କରିଦେଇଥିବା ରୁଷ୍‌ ଏବେ ୟୁକ୍ରେନ୍‌କୁ ଅନ୍ଧାର ମଧ୍ୟକୁ ଠେଲିବାକୁ ଯୋଜନା କରିଛି। ରୁଷ୍‌ ୟୁକ୍ରେନ୍‌ ଗ୍ରିଡ୍‌ରୁ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରକୁ ବିଚ୍ଛିନ୍ନ କରିଦେବ । ଏହାଦ୍ବାରା ସମଗ୍ର ୟୁକ୍ରେନ୍‌ରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ।

Advertisment

ୟୁକ୍ରେନ୍‌ ପକ୍ଷରୁ ଏନେଇ ଦାବି ହେବାପରେ ଶୁକ୍ରବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ରୁଷ୍‌କୁ‌ ଚେତାବନୀ ଦେଇଛନ୍ତି। ଗୁଟେରସ କହିଛନ୍ତି, ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ରୁଷ୍‌ ଏହାକୁ ୟୁକ୍ରେନ୍‌ ଗ୍ରିଡ୍‌ରୁ ବିଚ୍ଛିନ ନକରୁ। ଜାପୋରିଝିଆର ବିଦ୍ୟୁତ୍‌ ୟୁ‌କ୍ରେନ୍‌ର। ଏହି ନୀତିକୁ ସମ୍ପୂର୍ଣ୍ଣ ଭାବେ ସମ୍ମାନ ଦେବାପାଇଁ ଜାତିସଂଖ ମୁଖ୍ୟ କହିଛନ୍ତି। ସେହିପରି ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ସାମରିକ କାର୍ଯ୍ୟକ୍ରମ ବନ୍ଦ କରିବାପାଇଁ ଗୁଟେରସ କହିଛନ୍ତି। ୟ‌ୁକ୍ରେନ କହିଛି ପ୍ଲାଣ୍ଟ୍‌ ନିକଟରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି।

ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ ନିୟନ୍ତ୍ରଣରେ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ର ଥିବାରୁ ସମଗ୍ର ବିଶ୍ବ ଏବେ ପରମାଣୁ ବିପର୍ଯ୍ୟୟ ବଳୟରେ। ଏକ ଟ୍ବିଟ୍‌ କରି ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ର ପରମାଣୁ ବ୍ଲାକମେଲ୍‌ ଏବଂ ବେପରୁଆ କାର୍ଯ୍ୟ ସଂକ୍ରାନ୍ତରେ ବିଶ୍ବ ସମ୍ପ୍ରଦାୟ କେତେଦିନ ଏଭଳି ଭାବେ ନିରବ ରହିବ।