ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଆଜି ଷଷ୍ଠ ଦିନରେ ଭୟାନକ ରୂପ ନେଇଛି। ଗୋଟିଏ ପଟେ ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଉସୁକାଇ ଚାଲିବା ସହ ଯୁଦ୍ଧାସ୍ତ୍ର ଓ ବୋମାବର୍ଷୀ ବିମାନ ଯୋଗାଇ ଦେବାକୁ ଆଶ୍ବାସନା ଦେଇଥିବା ବେଳେ ଅନ୍ୟପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍କୁ ନିଜ କବ୍ଜାକୁ ନେବା ପାଇଁ ଯେ କୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଯୁଦ୍ଧ ରୋକିବାକୁ ପ୍ରୟାସ କରିବା ପରିବର୍ତ୍ତେ କେବଳ ରୁଷ୍ ବିରୋଧରେ ତୁହାକୁ ତୁହା କଟକଣା ଘୋଷଣା କରିଚାଲିଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କଲେଣି। ରୁଷ୍ ତା’ର ପରମାଣୁ ବ୍ୟବସ୍ଥାକୁ ହାଇଆଲର୍ଟରେ ରଖିଛି ଏବଂ ଏହାର ପରମାଣୁ ବାହିନୀ ଯୁଦ୍ଧାଭ୍ୟାସ ଜାରି ରଖିଛନ୍ତି। ୟୁକ୍ରେନ୍ ସହ ରୁଷ୍ର ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା ଆସନ୍ତାକାଲି ହେବାକୁ ଥିବା ବେଳେ ଯଦି ଏହା ବିଫଳ ହୁଏ ତା’ହେଲେ ଯୁଦ୍ଧ ଅତି ଭୟାନକ ରୂପ ନେବ। କ୍ରେମ୍ଲିନ୍ ମୁଖପାତ୍ର କହିଛନ୍ତି, ରୁଷ୍କୁ ଘୋର ଆର୍ଥିକ କ୍ଷତି ପହଞ୍ଚାଇ ଏକଘରିଆ କରିବାକୁ ନାଟୋ ରାଷ୍ଟ୍ରମାନେ ବିଶାଳ ଷଡ଼ଯନ୍ତ୍ର କରିଛନ୍ତି ଏବଂ ପୁଟିନ୍ଙ୍କୁ ଖଳନାୟକ ଭାବେ ଦର୍ଶାଇବାକୁ ପଶ୍ଚିମ ଗଣମାଧ୍ୟମରେ ଅହରହ ପ୍ରୟାସ ଚାଲିଛି। ସୋସିଆଲ ମିଡିଆରେ ରୁଷ୍ ବିରୋଧୀ ମିଥ୍ୟା ଖବରର ବନ୍ୟା ଛୁଟିଛି। ୟୁରୋପୀ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଅସ୍ତ୍ର କରି ରୁଷ୍ ବିରୋଧୀ ଷଡ଼ଯନ୍ତ୍ରକୁ ବ୍ୟାପକ କରିଥିବାରୁ ୟୁକ୍ରେନ୍ର ନାଟୋ ସଦସ୍ୟତା ପ୍ରସ୍ତାବ ନେଇ କିଛି ସ୍ପଷ୍ଟ କରୁନାହାନ୍ତି ବୋଲି ମୁଖପାତ୍ର କହିଛନ୍ତି। ଏଭଳି ସ୍ଥିତିରେ ରୁଷ୍ ନିଜର ଘାତଶକ୍ତି ବଳରେ ୟୁକ୍ରେନ୍କୁ ନିଜ କବ୍ଜାକୁ ନେବାକୁ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ୟୁକ୍ରେନ୍ ଅଭିଯାନର ପ୍ରଥମ ଦିନ ହିଁ ପୁଟିନ ନାଟୋ ରାଷ୍ଟ୍ରମାନଙ୍କୁ ସତର୍କ କରାଇ କହିଥିଲେ ଯେ ଏଥିର ହସ୍ତକ୍ଷେପ କଲେ ଇତିହାସରେ କେବେ ଭୋଗିନଥିବା ଦଣ୍ଡ ଭୋଗିବାକୁ ହେବ। ଅନେକ ଏବେ ଏହାକୁ ପୁଟିନ୍ଙ୍କ ପରୋକ୍ଷରେ ପରମାଣୁ ଧମକ ଥିଲା ବୋଲି କହିଛନ୍ତି। ରୁଷ୍ ପାଖରେ ଏବେ ୧୪୫୬ ପରମାଣୁ ଅସ୍ତ୍ର ସକ୍ରିୟ ରହିଛି ଏବଂ ପରମାଣୁ ଯୁଦ୍ଧ ସ୍ଥିତିରେ ପୂରା ୟୁରୋପରେ ମହାପ୍ରଳୟ ସ୍ଥିତି ଆସିଯିବ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି।
ରୁଷ୍ ନିଜର ପରମାଣୁ ଅସ୍ତ୍ରଗୁଡ଼ିକର ଯେଭଳି ଆଧୁନିକୀକରଣ କରିଛି ତାହାର ମୁକାବିଲା କରିବା ଶକ୍ତି କୌଣସି ୟୁରୋପୀୟ ରାଷ୍ଟ୍ରର ନାହିଁ। ଆମେରିକା ନେତୃତ୍ବରେ ନାଟୋ ଯଦି ରୁଷ୍ ଉପରେ ଆକ୍ରମଣ ଆରମ୍ଭ କରିଦେବ ତା’ହେଲେ ପରମାଣୁ ଯୁଦ୍ଧକୁ ରୋକିବା ସମ୍ଭବ ହେବନାହିଁ। ଗତ ବର୍ଷ ପୁଟିନ ନାଟୋ ସାମରିକ ମେଣ୍ଟରେ ଥିବା ରାଷ୍ଟ୍ରମାନଙ୍କର ରୁଷ୍ ବିରୋଧୀ ଷଡ଼ଯନ୍ତ୍ରକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ରୁଷ୍ ନିଜର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯାହାକିଛି ସମ୍ଭବ କରିବ ବୋଲି କହିଥିଲେ। ରୁଷ୍ର ଆଖପାଖ ରାଷ୍ଟ୍ରମାନଙ୍କରେ ବିଶ୍ବସ୍ତରୀୟ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ ପାଇଁ ନାଟୋ ଓ ଆମେରିକାର ଆଗ୍ରହ ଦେଖି ପୁଟିନ ଏହାର କଡ଼ା ସମାଲୋଚନା କରିଥିଲେ। ‘ମିଥ୍ୟାର ସାମ୍ରାଜ୍ୟ ପାଲଟିଥିବା ନାଟୋ ରାଷ୍ଟ୍ରମାନେ ସେମାନଙ୍କ ନୀତିରେ ପରିବର୍ତ୍ତନ ନ ଆଣିଲେ ରୁଷ୍ ପରିସ୍ଥିତିକୁ ବଦଳାଇବା ପାଇଁ ସବୁ କିଛି କରିପାରିବ’ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ ପରମାଣୁ ଯୁଦ୍ଧ ଆଶଙ୍କା ସମସ୍ତଙ୍କୁ ଆନ୍ଦୋଳିତ କରୁଛି।