ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁ‌କ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍‌କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ ଯୁଦ୍ଧ ପାଇଁ ଉକ୍ତ ଦେଶକୁ ୨୦୨୬ ସୁଦ୍ଧା ୧୯୦ ବିଲିଅନ ଡଲାରର କ୍ଷତି ସହିବାକୁ ପଡ଼ିବ ବୋଲି ବ୍ଲୁମବର୍ଗ ପକ୍ଷରୁ ଆକଳନ କରାଯାଇଛି। ରୁଷ୍‌କୁ ଯେଉଁ କ୍ଷତି ହେବ ତାହା ହଙ୍ଗେରୀ କିମ୍ବା କୁଏତ୍‌ ଭଳି ଦେଶର ଜିଡିପି ସହିତ ସମାନ।

Advertisment

୨୦୨୨ ଶେଷ ସୁଦ୍ଧା ତୃତୀୟ ତ୍ରୟମାସରେ ରୁଷ୍‌ ଅର୍ଥନୀତିର ଅର୍ଥନୈତିକ ଅଭିବୃଦ୍ଧି ସଂକୁଚିତ ହୋଇଛି। କିନ୍ତୁ ସଂପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଏହି ଦେଶର ଅର୍ଥନୀତି ଯେତିକି ସଂକୁଚିତ ହେବ ବୋଲି ଯୁଦ୍ଧର ଏକମାସ ପରେ ପୂର୍ବାନୁମାନ କରାଯାଇଥିଲା ସେହି ତୁଳନାରେ ଏହା ହୋଇନାହିଁ। ରୁଷ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଗତବର୍ଷର ଅଭିବୃଦ୍ଧି ୨.୫ ପ୍ରତିଶତ ହ୍ରାସ ପାଇବ ବୋଲି ଉଲ୍ଲେଖ କରିଥିବାବେଳେ ଚଳିତବର୍ଷ ଅଭିବୃଦ୍ଧି ସକାରାତ୍ମକ ରହିବ ବୋଲି ଆକଳନ କରିଥିଲା। କିନ୍ତୁ ଗତ ତ୍ରୟମାସରେ ଦେଶର ଅର୍ଥନୀତି ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଚଳିତବର୍ଷ ଅଧିକ ଖରାପ ହୋଇପାରେ ବୋଲି ବ୍ଲୁମବର୍ଗର ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।